Odisha Link
Bridging the Missing Links in Odisha

ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍

ଭୁବନେଶ୍ବର: ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ଏନେଇ ରାଜ୍ୟ ତମାମ କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ମୁତାବକ, ବାଣ ବିକ୍ରି ଓ ଫୁଟାଇବା ଉପରେ ଜାରି ହୋଇଥିବା କଟକଣା ଉଲଂଙ୍ଘନ କଲେ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ଶୀତ ଦିନେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ପାଇଥାଏ। ବାୟୂ ପ୍ରଦୂଷଣ ସାଙ୍ଗକୁ ବାୟୂମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ୱାସଜନିତ ସମସ୍ୟା ଗୁରୁତର ହୋଇଥାଏ।

ବାଣ ଫୁଟାଇବା ଯୋଗୁଁ ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ଼, ସଲଫର ଡାଇଅକ୍ସାଇଡ଼, କାର୍ବନ ମନୋକସାଇଡ଼ ପରି କ୍ଷତିକାରକ ରସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଯାହା ସମ୍ବେଦନଶୀଳ ଲୋକଙ୍କର ଶ୍ୱାସଜନିତ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗୃହ ପୃଥକବାସରେ ଥିବା ତଥା କୋଭିଡ଼-୧୯ ସଂକ୍ରମିତ ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ବଢ଼ାଇ ଦେବାର ବି ଆଶଙ୍କା ରହିଛି। ଏହାକୁ ଆଖିଆଗରେ ରଖି ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି।

Comments are closed.