ଆଜି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଭସାଣି

ଢେଙ୍କାନାଳ: ଆଜି ମେଲାଣି ନେବେ ମା ଅନ୍ନପୂର୍ଣ୍ଣା। ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଅନୁଷ୍ଠିତ ହେଉଛି। ଦୀର୍ଘ ଏଗାର ଦିନ ଧରି ମାଆ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ନିରାଡମ୍ୱର ଭାବେ ୩୮ଟି ପୂଜା କମିଟିରେ ମାଙ୍କର ପୂଜାର୍ଚ୍ଚନା ହେଉଥିଲା। ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ନିରାଡମ୍ବରରେ ମାଆଙ୍କୁ ବିଦାୟ ଦିଆଯିବ।
କୋଭିଡ ଗାଇଡଲାଇନ ଅନୁଯାୟୀ କୌଣସି ଭସାଣି ଉତ୍ସବ ଅନୁଷ୍ଠିତ ହେବ ନାହିଁ। କେବଳ ବିଧି ରକ୍ଷା ପାଇଁ ମାଆଙ୍କର ଭସାଣି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭସାଣି ବେଳେ ଗୋଟିଏ ମେଢରେ ସାତ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ।
ଆଜି ୩୭ ଗୋଟି ପୂଜା ମଣ୍ଡପରେ ଭସାଣି କରାଯାଉଛି। ଏହି ଭସାଣି ସମୟରେ ମାଇକ୍ ବା ଲାଇଟ ବ୍ୟବହାରକୁ ବାରଣ କରାଯାଇଛି। କାଠଶଙ୍ଖ ସମେତ ସହରର ବିଭିନ୍ନ ସ୍ଥାନରେ ପୌର ପରିଷଦ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଭସାଣି ଉତ୍ସବ ଦିନ ୧୧ଟା ସୁଦ୍ଧା ସମାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।