ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବ ମହିଳାମୋର୍ଚ୍ଚା : ସ୍ମୃତି
ଭୁବନେଶ୍ୱର : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟକାର୍ଯ୍ୟାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ବିଗତ ଦିନରେ ତାଙ୍କୁ ବିଜେପି ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା। କରୋନା ସଙ୍କଟ ଏବଂ ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ଥିବାରୁ ପଟ୍ଟନାୟକ ବିଭିନ୍ନ ସାଙ୍ଗଠନିକ ଦାୟୀତ୍ୱ ତୁଲାଉଥିଲେ।
ଏହି ଅବସରରେ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଉପସଭାପତି ପ୍ରଭାତି ପରିଡା ଆନୁଷ୍ଠାନିକ ଭାବେ ନବ ନିଯୁକ୍ତ ସଭାନେତ୍ରୀ ପଟ୍ଟନାୟକଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ । ଏହି ଅବସରରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଥିଲେ ।
ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଅସଦାଚାରଣ ଘଟଣା ସାମ୍ନାକୁ ଆସୁଛି। ଅନେକ ଯୋଜନା ମହିଳାଙ୍କ ପାଇଁ ଲାଗୁ ହୋଇଥିଲେ ବି ସେମାନେ ସେମାନଙ୍କ ଅଧିକାରରୁ ବଂଚିତ ରହୁଛନ୍ତି।
ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ମହିଳା ସଙ୍ଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା, ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନା ଗୁଡିକୁ ରାଜ୍ୟର ସମସ୍ତ ମହିଳାଙ୍କ ପାଖରେ ପହଂଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ପଟ୍ଟନାୟକ କହିଛନ୍ତି।
ଏହି ଅବସରରେ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରୀ ମିଶ୍ର, ଇରାନୀ ରାୟ, ସୁବାସିନୀ ପୃଷ୍ଟି, ପଦ୍ମାବତୀ ଜେନା, ତୃପ୍ତି ମକଦ୍ଦମା, ଉନ୍ନତି ପରିଡା ଏବଂ ଶଶୀ ରଥଙ୍କ ସମେତ ମହିଳା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।