Odisha Link
Bridging the Missing Links in Odisha

ଭଲ ଖବର: ସ୍ପୁଟନିକ-ଭି ଟୀକା ୯୨% ଫଳପ୍ରଦ !

ମସ୍କୋ: କରୋନା ବିରୋଧରେ ରୁଷ୍‌ର ଟିକା ୯୨ ପ୍ରତିଶତ ସଫଳ ଭାବେ କାର୍ଯ୍ୟ କରୁଛି। ଏନେଇ ରୁଷ୍‌ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ସ୍ପୁଟନିକ-ଭି ଟୀକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ମସ୍କୋ ପକ୍ଷରୁ କୁହାଯାଇଛି। ସ୍ପୁଟୋନିକ୍‌ ଭି ବେଶ୍‌ ସଫଳ ଭାବେରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରୁଛି। ୟୁରୋପ ତଥା ଆମେରିକାରେ ଏବେ ବିଭିନ୍ନ କମ୍ପାନୀ କରୋନା ଟିକା ବିକାଶ କରୁଛନ୍ତି। ଅକ୍ସଫର୍ଡ ଟିକା କରୋନା ବିରୋଧରେ ୫୦ରୁ ୬୦ ପ୍ରତିଶତ ସୁରକ୍ଷା ଦେଉଥିବା ବେଳେ ଫାଇଜର୍‌ ଟିକା ୯୦ ପ୍ରତିଶତ ସୁରକ୍ଷା ଦେଉଥିବା ଦାବି କରାଯାଉଛି। ତେବେ ରୁଷ୍‌ର କରୋନା ଟିକା ୯୨ ପ୍ରତିଶତ କାର୍ଯ୍ୟ କରୁଥିବା ଦାବି କରାଯାଇଛି।

୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଋଷ ପକ୍ଷରୁ ଟୀକା ଉପରେ ଅଧିକ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ପରେ ଏହି ଟୀକା କରୋନା ଉପରେ ୯୨ ପ୍ରତିଶତ ଫଳପ୍ରଦ ବୋଲି ତଥ୍ୟ ପ୍ରକାଶ ପାଇଛି। ବୁଧବାର ମସ୍କୋ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି।

ଏହା ଉପରେ ଆହୁରି ୬ ମାସ ଗବେଷଣା କରାଯିବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ଏହାର ତଥ୍ୟ ଅନ୍ତର୍ଜାତୀୟ ମେଡିକାଲ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହେବ ବୋଲି ରୁଷ୍‌ର ଗବେଷକ କହିଛନ୍ତି। ରୁଷ୍‌ର ଏହି ଘୋଷଣା ପରେ ଆମେରିକା ଏବଂ ୟୁରୋପ୍‌ର ଷ୍ଟକ୍‌ ମାର୍କେଟରେ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ଅଗଷ୍ଟ ୧୧ ତାରିଖରେ ଋଷ ପକ୍ଷରୁ ଏହି ଟୀକାର ବ୍ୟବହାର ଆରମ୍ଭ କରାଯାଇଥିବା ବେଳେ ଡକ୍ଟର ରେଡ୍ଡୀ ଏହି ଟୀକାର ୧୦ କୋଟି ଡୋସେଜ କ୍ରୟ କରିବା ପାଇଁ ଅଗ୍ରୀମ ଚୁକ୍ତି କରିସାରିଛି।

Comments are closed.