Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମାମଲା: ଅଦାଲତଙ୍କ ବିନା ଅନୁମତିରେ ଭଙ୍ଗା ଯାଇ ପାରିବନି

କଟକ: ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।ସରକାର ଆଇନର ଅନୁସରଣ ନକରି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିଲେ। ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ‘ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନୁମେଣ୍ଟସ୍‌ ରିଭାଇଭାଲ୍‌ ଆକ୍ସନ୍‌ ପ୍ଲାନ୍‌’ରେ ରୋକ ଲଗାଇଛନ୍ତି ହାଇକୋର୍ଟ।

ସୂଚନା ଅନୁସାରେ ସରାକାର ଆଇନ ଅନୁସରଣ ନକରି ଜନ୍ମେଜୟ କରଙ୍କ ଘରକୁ ଭାଙ୍ଗି ଦେଇଥିଲେ। ଜନ୍ମେଜୟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ମାମଲାରେ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତ ସମସ୍ତ ସୂଚନା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି । ହାଇକୋର୍ଟ ମତ ଦେଇଛନ୍ତି ଜଣେ ନାଗରିକକୁ ତାଙ୍କ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁମାନଙ୍କୁ ଉଚ୍ଛେଦ କରାଯିବ ସେମାନଙ୍କୁ ‘ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନୁମେଣ୍ଟସ୍‌ ରିଭାଇଭାଲ୍‌ ଆକ୍ସନ୍‌ ପ୍ଲାନ୍‌’ରେ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

ଯେଉଁ ବ୍ୟକ୍ତିଙ୍କ ଜମିକୁ ଅଧିଗ୍ରହଣ କରାଯିବ ତାହାକୁ ସିଧାସଳଖ ରାଜ୍ୟ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କିଣିବେ । ସମ୍ପୃକ୍ତ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର ହେବାଲାଗି ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯେଉଁ ଜମି ଅଧିଗ୍ରହଣ କରାଯିବ ତାହାର ବଜାର ମୂଲ୍ୟ ଅନୁରୂପ ଜମି ଯୋଗାଇ ଦିଆଯିବ । ଜମି ଅଧିଗ୍ରହଣ ଦିନଠୁ କ୍ଷତିଗ୍ରସ୍ତଙ୍କୁ ପ୍ରତି ମାସ ୧୫ ହଜାର ଟଙ୍କା ହିସାବରେ ୧୨ ମାସ ଲାଗି ଆର୍ଥିକ ସହାୟତା ଦିଆଯିବ ।

ଏଥିସହ ପ୍ରତ୍ୟେକ ଘର ମାଲିକଙ୍କୁ ୨୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଯଦି କେହି ଦୋକାନୀଙ୍କ ଦୋକାନ ଘର ଉଚ୍ଛେଦ ହେଉଥାଏ ତାଙ୍କୁ ମଧ୍ୟ ସହାୟତା ଦିଆଯିବ। କିନ୍ତୁ ଆବେଦନକାରୀଙ୍କ ଘରକୁ ଜବରଦସ୍ତ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ କୌଣସି ଆଇନ ଅନୁସରଣ କରାଯାଇନି ବୋଲି ପ୍ରାର୍ଥନା କରି ଶ୍ରୀ କର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏପରିକି କ୍ଷତିଗ୍ରସ୍ତଙ୍କୁ କୌଣସି ସହାୟତା ବି ଦିଆଯାଇନି ବୋଲି ଅଭିଯୋଗ କରିଥିଲେ ।

Comments are closed.