Odisha Link
Bridging the Missing Links in Odisha

ଆଜି ଆଇଟିଏଟି କଟକ ବେଞ୍ଚ କାର୍ଯ୍ୟାଳୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆଜି ଅପରାହ୍ଣ ୪.୩୦ରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି. ଭଟ୍ଟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ନଭେମ୍ବର ୧୧ ତାରିଖ ବୁଧବାର ଅପରାହ୍ଣ ସାଢ଼େ ଚାରିଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ।

ଏହି ଭର୍ଚୁଆଲ କାର୍ୟ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ପି.ସି. ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି।

ଶ୍ରୀ ଭଟ୍ଟ କହିଛନ୍ତି ଯେ ଆଇଟିଏଟି କଟକ ବେଞ୍ଚ ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶା ହୋଇଥିବା ବେଳେ ୧୯୭୦ରେ ଏହା ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପାଖାପାଖି ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେଣୁ ଆଇଟିଏଟିର କଟକ ବେଞ୍ଚ ଉଦଘାଟନ ହେବା ଫଳରେ ନ୍ୟାୟ ଚାହୁଁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ।

ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।

୧୯୭୦ ମେ ୨୩ ତାରିଖରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇ କାର୍ୟ୍ୟାରମ୍ଭ କରାଯାଇଥିଲା । କଟକ ବେଞ୍ଚର ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ । ୨୦୧୫ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ ଏକର ଜମିରେ ଆଇଟିଏଟିର ନୂଆ କାର୍ୟ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି ।

ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ୟ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି ।

ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ପୁସ୍ତିକା ଏବଂ ‘୨୦୧୪ ପରଠାରୁ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର’ ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚିତ ହେବ ।

Comments are closed.