Odisha Link
Bridging the Missing Links in Odisha

ଲଭ୍‌ ଜିହାଦ: ଏଣିକି ୫ ବର୍ଷ ଜେଲ, ମଧ୍ୟପ୍ରଦେଶ ସରକାର ଆଣିବେ ନୂଆ ଆଇନ

ଭୋପାଳ: ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ଲଭ୍‌ ଜିହାଦକୁ ନେଇ ଏକ ଆଇନ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ଲଭ ଜିହାଦ ବିପକ୍ଷରେ ଏକ ଆଇନ୍‌ ଅଣାଯିବ। ଏହି ଆଇନ୍‌ ବଳରେ ଲଭ ଜିହାଦକୁ ଏକ ଅପରାଧୀକ କାର୍ଯ୍ୟକଳାପ ଭାବେ ଘୋଷଣା କରାଯିବ। ଏଥିସହିତ ଅଭିଯୁକ୍ତଙ୍କ ଜାମିନ୍‌ ମିଳିବ ନାହିଁ ଏବଂ ୫ବର୍ଷର ଜେଲ ଦଣ୍ଡ ଭୋଗିବାର ଆଇନ୍‌ ରହିବ ବୋଲି ସୂଚନା ରହିଛି। ସୂଚନାଥାଉକି, ଉତ୍ତର ପ୍ରଦେଶ ସରକାର ପ୍ରଥମେ ଏଭଳି ଆଇନ୍‌ ଆଣିବା ପାଇଁ କହି ସାରିଛନ୍ତି।

ନରୋତ୍ତମ ମିଶ୍ର କହିଛନ୍ତି ଯେ, ମଧ୍ୟପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜନ୍‌ ବିଲ୍‌ ୨୦୨୦କୁ ଆଗାମୀ ବିଧାନସଭାରେ ଆଗତ କରିବା ପାଇଁ ପ୍ରସ୍ତୁତ କରୁଛୁ। ୫ବର୍ଷର କଠୋର କାରାଦଣ୍ଡ ପ୍ରଦାନ କରାଯିବ। ଏଥସହିତ ଆମେ ଏଭଳି ଅପରାଧୀଙ୍କୁ ଜାମିନ୍‌ ବିହୀନ ଅଭିଯୁକ୍ତ ଘୋଷଣା କରାଯିବା ନେଇ ମଧ୍ୟ ପ୍ରସ୍ତାବ ରଖିଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆଗାମୀ ବିଧାନସଭା ଅଧିବେଶନ ବହୁ ଗୁରୁତ୍ବପୂର୍ଣ୍ଣ। କାରଣ ରାଜ୍ୟ ସରକାର ଲଭ ଜିହାଦକୁ ନେଇ ଧର୍ମର ସ୍ବାଧୀନତାକୁ ନେଇ ଏକ ବିଲ୍‌ ଆଗତ କରିବାକୁ ଯାଉଛନ୍ତି। ଏହି ବିଲ୍‌ ଆଇନରେ ପରିଣତ ହେଲା ପରେ ଅଭିଯୁକ୍ତଙ୍କୁ ୫ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ନରୋାତ୍ତମ ମିଶ୍ର ଆହୁରି କହିଛନ୍ତି ଯେ, ଲଭ୍‌ ଜିହାଦ ଭଳି ଅପରାଧିକ ମାମଲାରେ ଯିଏ ଅଭିଯୁକ୍ତଙ୍କୁ ସାହାଯ୍ୟ ସହଯୋଗ କରିଥିବ ତାଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ଭଳି ଜେଲ୍‌ ଦଣ୍ଡ ମିଳିବ ବୋଲି କହିଛନ୍ତି।

ଯଦି ଜଣେ ନିଜ ସ୍ବଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ ହେବାକୁ ମନ ବଳାଏ ତେବେ ତାଙ୍କୁ ଏକ ମାସ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଆବେଦନ କରିବାକୁ ପଡ଼ିବ। ଏହି ଆଇନ୍‌ କାର୍ଯ୍ୟକାରୀ ହେଲେ ଜୋର ଜବରଦସ୍ତି ବିବାହ ଓ ଧୋକା ଦେଇ କରାଯାଇଥିବା ବିବାହକୁ ରଦ୍ଦ ଘୋଷଣା କରାଯିବ ବୋଲି ନରୋତ୍ତମ ମିଶ୍ର କହିଛନ୍ତି।

Comments are closed.