Odisha Link
Bridging the Missing Links in Odisha

କୋଭିଡ୍ ଟିକା ନେଇ ବଢ଼ିଲା ଆଶା

ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା ସଂସ୍ଥା ’ମଡ଼ର୍ଣା’ ଦ୍ବାରା ପ୍ରସ୍ତୁତ କୋଭିଡ଼ ଟିକା ୯୪.୫% ପ୍ରଭାବଶାଳୀ ବୋଲି ଦାବି କରିଛି କମ୍ପାନୀ। କମ୍ପାନୀର ଏହି ଘୋଷଣା ଟିକା ଆଶାକୁ ବଢ଼ାଇ ଦେଇଛି। ଖୁବ୍ ଶୀଘ୍ର ଏହି ଟିକା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏଫପି କହିଛି। ଏହାପୂର୍ବରୁ ଆମେରିକାର ଅନ୍ୟ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ମଧ୍ୟ ଏହାର ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛି।

ମଡର୍ଣ୍ଣା ଘୋଷଣା କରିଛି ଯେ ଏହାର ଟିକା କରୋନା ଭୂତାଣୁକୁ ନଷ୍ଟ କରିବାରେ ୯୪.୫ ପ୍ରତିଶତ ସଫଳ ସାବ୍ୟସ୍ତ ହୋଇଛି। ମଡର୍ଣ୍ଣା ପ୍ରାୟ ୩୦ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକାର ନୈଦାନିକ ପରୀକ୍ଷଣ କରାଇଛି। ଅନ୍ୟପକ୍ଷରେ ୯୦ ପ୍ରତିଶତ ସଫଳତା ଦାବି କରିଥିବା ଫାଇଜର କମ୍ପାନି ୪୩ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକା ପ୍ରୟୋଗ କରିଛି। ଫାଇଜର ଆସନ୍ତା ଏପ୍ରିଲ ସୁଦ୍ଧା ବିଶ୍ବରେ ୩୦ କୋଟି ଟିକା ଉପଲବ୍ଧ କରାଇବ ବୋଲି ଲକ୍ଷ୍ୟ ରଖିଛି।

ମଡର୍ନା ସହିତ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା, ଫାଇଜର ମଧ୍ୟ ଟିକା ବିକାଶରେ ଆଗରେ ଅଛି। ଭାରତରେ ସେରମ୍, ଭାରତ ବାୟୋଟେକ୍ ସହିତ ଅନେକ କମ୍ପାନୀ ମଧ୍ୟ କରୋନା ଟିକା ବିକଶିତ କରୁଛନ୍ତି। ଅନ୍ୟପକ୍ଷରେ ଭାରତର ସ୍ବଦେଶୀ କୋଭିଡ୍‌-୧୯ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି। ହାଇଦ୍ରାବାଦର ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ସ୍ବେଚ୍ଛାସେବୀଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି।

Comments are closed.