Odisha Link
Bridging the Missing Links in Odisha

ବିଶ୍ବ ରେକର୍ଡ କଲା ଆର୍‌ବିଆଇ

ନୂଆଦିଲ୍ଲୀ: ବିଶ୍ବ ରେକର୍ଡ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ପାର କରି ନଥିଲା।

ଏହି ରେକର୍ଡ ସମ୍ପର୍କରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଶକ୍ତିକାନ୍ତ ଲେଖିଛନ୍ତି ଯେ, ଆଜି ଆର୍‌ବିଆଇର ଟ୍ବିଟର୍‌ ଆକାଉଣ୍ଟ୍‌ ଏକ ନିୟୁତରୁ ଅଧିକ ଅନୁଗାମୀ ସ୍ତର ଅତିକ୍ରମ କରିଛି। ଏକ ନୂତନ ମାଇଲଖୁଣ୍ଟ। ରିଜର୍ଭ ବ୍ୟାଙ୍କରେ ମୋର ସମସ୍ତ ସହଯୋଗୀଙ୍କୁ ଏଥିପାଇଁ ଧନ୍ୟବାଦ। ପୂର୍ବରୁ ଆମେରିକାର ‌କେନ୍ଦ୍ରୀୟ ବ୍ୟାଙ୍କ ‘ୟୁଏସ୍‌ ଫେଡେରାଲ୍‌ ରିଜର୍ଭ’ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ସର୍ବାଧିକ ଥିଲା। ଆଜି ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତିକ୍ରମ କରିଛି। ସମଗ୍ର ବିଶ୍ବରେ ସବୁଠୁ ଅଧିକ ଲୋକ ପସନ୍ଦ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଭା ହୋଇଛି। ବର୍ତ୍ତମାନ ଆରବିଆଇର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ୫୧୩ ରହିଛି।

ସୂଚନାଯୋଗ୍ୟ, ଚଳିତ ମାସ ୨୭ ତାରିଖରେ ରିଜର୍ଭ ବ୍ୟାଙ୍କ ଅନୁଗାମୀ ସଂଖ୍ୟା ୯.୬୬ ଲକ୍ଷ ଥିଲା। ଆଜି ତାହ‌ା ୧୦ ଲକ୍ଷରୁ ଅଧିକ ହୋଇଛି। ୟୁଏସ୍‌ ଫେଡେରାଲ୍ ରିଜର୍ଭର ଅନୁଗାମୀ ସଂଖ୍ୟା ୬.୬୭ ଲକ୍ଷ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ୫.୯୧ ଲକ୍ଷ ରହିଛି। ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଟ୍ବିଟର୍‌ ଅନୁଗାମୀ ସଂଖ୍ୟା ୩,୪୨,୦୦୦ ଥିଲା। ବର୍ଷକ ଭିତରେ ଅର୍ଥାତ ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ସଂଖ୍ୟା ୭,୫୦,୦୦୦ରେ ପହଞ୍ଚିଥିଲା। ଲକ୍‌ଡାଉନ୍‌ ସମୟରେ ଅନୁଗାମୀ ସଂଖ୍ୟାରେ ଦେଢ଼ ଲକ୍ଷ ବୃଦ୍ଧି ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ଅଢ଼େଇ ଲକ୍ଷ ବଢ଼ିଛି।

Comments are closed.