Odisha Link
Bridging the Missing Links in Odisha

ଗପର ନାମ ପରୀ: କିଡ୍‌ନୀ କ’ଣ କଦଳୀ?

ଏ ଶୀର୍ଷକ ପଢ଼ି ମନରେ କିଛି ଦ୍ବିତୀୟ ଚିନ୍ତାକୁ ବସା ବାନ୍ଧିବାର ସୁଯୋଗ ଦେବା ଆଗରୁ ପାଠକେ ଜାଣିରଖନ୍ତୁ ଯେ ନୟାଗଡ଼ର ନିରୀହ ପରି ପ୍ରତି ଆମର ସମସ୍ତ ସମବେଦନା ରହିଛି। ୫ ବର୍ଷର ନିଷ୍ପାପ ବାଳିକା ପରୀକୁ ଯେ ବି ହତ୍ୟା କରିଛି ତାକୁ ଚିହ୍ନଟ କରି କଡ଼ା ଦଣ୍ଡ ଦିଆଯାଉ ବୋଲି ଆମର କାମନା। ତେବେ ପରୀ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁ ନଥିବା ବେଳେ ଏ ଘଟଣାକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଖବର ସଂସ୍ଥା ପର୍ଯ୍ୟନ୍ତ ଯେଭଳି ଧ୍ୟାନ ଆକର୍ଷଣ ଲାଗି ବିକଳ କସରତ୍‌ ଆରମ୍ଭ କରିଛନ୍ତି, ତାହାକୁ ନେଇ ଏ ଆଲେଖ।

ପରୀ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଓ ଅପରାଧ ବିଶେଷଜ୍ଞମାନଙ୍କ ଆଧାରରେ ଆମେ ଗତକାଲି ଗୋଟିଏ ଆକଳନ କରିଥିଲୁ। ଏଥିରେ ପରୀ ମୃତ୍ୟୁ ପଛରେ ୬ ଗୋଟି ସମ୍ଭାବ୍ୟ କାରଣ ବାବଦରେ ଉଲ୍ଲେଖ ଥିଲା। ଏ କାରଣ ମଧ୍ୟରୁ ଗୋଟିଏ ହେଉଛି ‘ଅଙ୍ଗଚୋରି’। ସ୍ବୟଂ ପରୀର ପିତା ପ୍ରଥମେ ଗଣମାଧ୍ୟମରେ ଏ ନେଇ ଅଭିଯୋଗ କରିଥିଲେ। ଗତ ତିନିଦିନ ଧରି କିଛି ଗଣମାଧ୍ୟମରେ କେବଳ ଏହି ପ୍ରସଙ୍ଗକୁ ବଢ଼େଇ ଚଢ଼େଇ ପ୍ରଚାର କରାଯାଉଛି। ପରୀ ହତ୍ୟା ପଛରେ ଅଙ୍ଗଚୋରିକୁ କାରଣ ବୋଲି ଦର୍ଶାଯିବା ସହ ଏହା ପଛରେ ବିଭିନ୍ନ ବ୍ୟକ୍ତିଙ୍କର ହାତ ଥିବା ପ୍ରଚାର ହେଉଛି। ଏଭଳିକି ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଏ ଅଭିଯୋଗ ସହ ଯୋଡ଼ାଯାଉଛି।

ଅଙ୍ଗଚୋରି ବା ଅଙ୍ଗ ପ୍ରତ୍ୟାରୋପଣ ବାବଦରେ ଆମର ଆଦୌ ଅଭିଜ୍ଞତା ନ ଥିବା ବେଳେ ଏ ନେଇ କ’ଣ ସବୁ ଭେଷଜ ପଦ୍ଧତି ରହିଛି ଜାଣିବା ପାଇଁ ଆମେ ରାଜ୍ୟର ଜଣେ ଜଣାଶୁଣା ଶଳ୍ୟ ଚିକିତ୍ସକଙ୍କୁ ପଚାରିଥିଲୁ। ଅଙ୍ଗଚୋରି ଏପରିକି କେତେକ କ୍ଷେତ୍ରରେ ସହମତି ଭିତ୍ତିରେ ମଧ୍ୟ ଅଙ୍ଗଦାନ ଆଇନ ଅନୁସାରେ ଅପରାଧ ବୋଲି ଡାକ୍ତର ଆମକୁ କହିଥିଲେ। ତେବେ ଚୋରି ହେଉ ବା ଦାନ ହେଉ, ଏ ପ୍ରକ୍ରିୟା ବେଶ୍‌ ଜଟିଳ ଏବଂ ଏଥିପାଇଁ ଅତ୍ୟାଧୁନିକ ଶଲ୍ୟଗୃହ (ଅପରେସନ୍‌ ଥିଏଟର୍) ଆବଶ୍ୟକ। ଅଙ୍ଗ କଟାଯିବା ପରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଭାବେ ବିଭିନ୍ନ ଭେଷଜ ଯନ୍ତ୍ରାଂଶ ସମ୍ବଳିତ ଆମ୍ବୁଲାନ୍ସ ଆବଶ୍ୟକ।

ପରୀର କିଡ୍‌ନୀ (ମୁତ୍ରାଶୟ) ଚୋରି ପରେ ତାଙ୍କୁ ମାରି ଫିଙ୍ଗିଦିଆଯାଇଛି ବୋଲି କିଛି ଗଣମାଧ୍ୟମ ପ୍ରଚାର କରୁଛନ୍ତି। ତେବେ ପରୀର ଶରୀର କଦଳୀ ଗଛ ନୁହେଁ। ଯେ ଯେ କେହି ସହଜରେ ଗଛକାଟି ସେଥିରୁ କଦଳୀ ଚୋରି କରିନେବା ଭଳି ଯେଉଁଠି ମନ ସେଇଠି ଅଙ୍ଗଟିଏ କାଟିନେଇ ଶରୀରକୁ ଫିଙ୍ଗିଦେବା ସମ୍ଭବ ନୁହେଁ। ପରୀର ଅଙ୍ଗ ଚୋରୀ ଯଦି ହୋଇଥାଏ ତେବେ ତାହା ଗାଁ ପାଖରେ ଆଦୌ ସମ୍ଭବ ନୁହେଁ। ଗାଁ ଠାରୁ ଦୂର ସହରରେ ଥିବା ଡାକ୍ତରଖାନାକୁ ନେଇ ସେଠାରେ ତାହାର ଅଅଙ୍ଗ ଚୋରି କରିବା ପରେ ଶବକୁ ସେଇଠି କେଉଁଠି ଫିଙ୍ଗି ନ ଦେଇ ବୋକା ଅପରାଧୀ ପୁଣି ଗାଁ ପାଖରେ ଆଣି ଅଖା ଭିତରେ ଶବକୁ ଫିଙ୍ଗିବ କାହିଁକି? ଯଦି କୌଣସି ଅତ୍ୟାଧୁନିକ ଆମ୍ବୁଲାନ୍ସ ଭିତରେ ଗାଁ ପାଖରେ ତାହାର ଅଙ୍ଗ ଚୋରି କରାଯାଇଥାଏ ତେବେ ଏ ବାବଦରେ ଅନ୍ୟମାନେ ଜାଣିବା ସ୍ବାଭାବିକ।

ଆମେ ପୁଲିସ ନୋହୁଁ କି ଘରୋଇ ତଦନ୍ତକାରୀ ସଂସ୍ଥା ନୋହୁଁ। ତେବେ ଗୋଟିଏ ଅଭିଯୋଗକୁ ଲୋକଙ୍କ ଆଗରେ ରଖିବା ଆଗରୁ ଏହାର ସମ୍ଭାବନା ବାବଦରେ ବିଚାର କରିବା ଜରୁରୀ। ନ ହେଲେ ପାଇଖାନା ଭିତରର କଳା ପଙ୍କକୁ ମଙ୍ଗଳ ଗ୍ରହରୁ ଆସିଥିବା ଏଲିଏନ୍‌ଙ୍କ ସକାଳର ଜଳଖିଆ ବୋଲି ପ୍ରଚାର କରୁଥିବା ଗଣମାଧ୍ୟମର ସଂଖ୍ୟା ଏବେ କିଛି କମ ନାହିଁ।

ନୟାଗଡ଼: ପରୀ ହତ୍ୟା ପଛରେ ଏହି ୬ଟି କାରଣ

Comments are closed.