Odisha Link
Bridging the Missing Links in Odisha

ରାଜ୍ୟସଭା ଯିବେ ସୁଶୀଲ ମୋଦୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ରାଜନୀତିର ଜଣାଶୁଣା ଚେହେରା ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ‌୍। ବିଜେପି ତାଙ୍କୁ ଆଗାମୀ ରାଜ୍ୟସଭା ଉପ-ନିର୍ବାଚନ ୨୦୨୦ର ଆଶାୟୀ ପ୍ରାର୍ଥୀ କରିଛି। ଏବେ ବିହାର ରାଜନୀତିକୁ ବାଏ ବାଏ କରି ଦିଲ୍ଲୀରେ ରାଜନୀତି କରିବେ। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ଦେହାନ୍ତ ପରେ ସେହି ଆସନ ଖାଲି ରହିଛି। ସେହି ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ନିର୍ବାଚନ କମିଶନ। ଏବେ ଏହି ଆସନ ପାଇଁ ମୋଦୀ ନାମାଙ୍କନ ଭରିବେ ବୋଲି କେନ୍ଦ୍ର ବିଜେପି ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି।

ସୁଶୀଲ ମୋଦୀ ବିହାର ରାଜନୀତିର ଜଣେ ଦିଗ୍ଗଜ ନେତା। ଏଥିସହିତ ସେ ୨୦୦୫ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଏନଡିଏ ସରକାରର ଉପମୁଖ୍ୟମନ୍ତ୍ରୀ ଥିଲେ। ଚଳିତଥର ନିର୍ବାଚନ ଫଳାଫଳ ପରେ ମୋଦୀଙ୍କ ସ୍ଥାନରେ କିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି ବିଜେପି। ଏଭଳିକି ବିଜେପିର ଏ ନିଷ୍ପତ୍ତିରେ ସୁଶୀଳ ମୋଦୀ ନାରାଜ ଥିବା ଚର୍ଚ୍ଚା ହେଉଥିଲା। ଏପରିକି ମୋଦୀ ବିହାର ଚେହେରା ହେବା ନେଇ ଚର୍ଚ୍ଚା ହେଉଛି।

ସୂଚନାଥାଉକି, ଡିସେମ୍ବର ୩ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ଡିସେମ୍ବର ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ବିହାରରେ ବର୍ତ୍ତମାନ ଏନଡିଏ ସରକାର ଶାସନ ଭାର ନେଇଛି। ଏଥିରୁ ସ୍ପଷ୍ଟ ଯେ ସୁଶୀଲ ମୋଦୀ ରାଜ୍ୟସଭା ଯିବା ଏକ ପ୍ରକାର ନିଶ୍ଚିତ। ଏପରିକି ତାଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

୧୯୯୦ ମସିହାରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ସୁଶୀଲ ମୋଦୀ। ୧୯୯୦ ବିହାର ବିଧାନସଭା ନିର୍ବାଚନରେ ପାଟନା ମଧ୍ୟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେହି ଆସନରୁ ସୁଶୀଲ ମୋଦୀ ୨ଥର ନିର୍ବାଚନ ଲଢ଼ିଥିଲେ ଓ ଦୁଇଥର ଜିତିଥିଲେ।

Comments are closed.