ଦନ୍ତା ହାତୀ ଆକ୍ରମଣରେ ତିନି ଗୁରୁତର ଆହାତ

ପର୍ଜଙ୍ଗ: ଦନ୍ତା ହାତୀ ଆକ୍ରମଣରେ ତିନିଜଣ ଗୁରୁତର ଆହାତ ହୋଇଛନ୍ତି। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଭାଲୁମୁଣ୍ଡା-ସାଆନ୍ଦା ରାସ୍ତାରେ ଘଟିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ସାଆନ୍ଦା ପଞ୍ଚାୟତ ବାଇଗିଣିଆ ଗାଁର ସରୋଜ ଭୋଇ ଏବଂ କାର୍ତ୍ତିକ ମାଝି ଏକ ବାଇକ ଯୋଗେ ପର୍ଜଙ୍ଗକୁ କାମ କରିବାକୁ ଯାଉଥିଲେ। ରାସ୍ତାକଡ଼ରେ ଦନ୍ତା ଲୁଚି ଥିଲା। ବାଇକ ଆରୋହୀ ଦୁହେଁ ସେଠାରେ ଦନ୍ତା ଥିବା ଜାଣି ପାରି ନ ଥିଲେ।
ହଠାତ ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣାରେ ଉଭୟ ଗୁରୁତର ହୋଇଛନ୍ତି। ଠିକ କିଛି ସମୟ ପରେ କଟାବାହଳ ଗାଁର ବିଶ୍ୱନାଥ ପ୍ରଧାନ ବାଇକରେ ଯାଉଥିବା ବେଳେ ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର ଆହତ କରିଛି।
ଏଥିପାଇଁ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ଗାଁ ନିକଟରୁ ହାତୀଙ୍କୁ ଘଉଡ଼ା ଯାଉ ନାହିଁ। ଲୋକଙ୍କୁ ସୁରକ୍ଷା ଦିଆଯାଉନାହିଁ। ଲୋକେ ଡାକିଲେ ବି ବନ କର୍ମଚାରୀ ଶୁଣୁ ନାହାନ୍ତି। ଏହାର ପ୍ରତିବାଦରେ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି।