Odisha Link
Bridging the Missing Links in Odisha

ନୟାଗଡ଼: ରାଜନୀତି ପାଇଁ ସୁହାଉଛି ପୁଲିସ ଓ ପ୍ରଶାସନର ବିଫଳତା

ନୟାଗଡ଼: ଯଦୁପୁର ଗାଁରେ ପରୀ ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ବି ପୁଲିସର ହାତଖାଲି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏ ଦିଗରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏ ଘଟଣାର କ୍ରାଇମ୍‌ ବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ବିରୋଧୀଙ୍କ ଚାପ ଓ ଘଟଣାର ରହସ୍ୟମୟତାକୁ ଉପଲବ୍ଧି କରି ପରେ ଏ ଘଟଣାର ତଦନ୍ତ ଭାର ଏସ୍ଆଇଟିକୁ ଅର୍ପଣ କରାଯାଇଛି।

ତେବେ ପୁଲିସ ଓ ପ୍ରଶାସନର ବିଫଳତା ତଥା ପ୍ରତିଶୋଧପରାୟଣତା କିଭଳି ଏକ ରାଜନୈତିକ ଯୁଦ୍ଧର ସୂତ୍ରପାତ କରେ ଏବଂ ଅନାୟାସରେ ରାଜନୀତିରେ କିଛି ବ୍ୟକ୍ତିଙ୍କର ଗୁରୁତ୍ବ ବଢ଼ାଇଦିଏ ତାହାର ଏକ ସୁନ୍ଦର ଉଦାହରଣ ପରୀ ଘଟଣା। ପୂର୍ବରୁ ପ୍ରଶାସନ ଦ୍ବାରା ତାଡ଼ନାର ଶିକାର ହୋଇଥିବା ସ୍ଥାନୀୟ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଏବେ ପରୀ ଘଟଣାରେ ରାଜନୈତିକ ହଟଚମକ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି। ଫଳରେ ଦୋଷ ଓ ଦୋଷୀ ଆଢ଼ୁଆଳରେ ବୁଲୁଥିବା ବେଳେ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ରାଜନୈତିକ କାଦୁଅଫିଙ୍ଗା। କ୍ଷମତାସୀନ ନେତାଙ୍କୁ ଏ ମାମଲା ଭିତରେ ଛନ୍ଦିବାର ଉଦ୍ୟମ ଫଳବତୀ ହେଉ ବା ନ ହେଉ, ଅଜଣା ବା ଅଳ୍ପଜଣା କିଛି ନେତାଙ୍କ ପାଇଁ ଏବେ ପରୀ ପାଲଟିଛି ପ୍ରସିଦ୍ଧିର ପ୍ରମୋଦ ପିଣ୍ଡା।

ପରୀକୁ ନ୍ୟାୟ ଦାବିରେ ପୂର୍ବରୁ ଏକାଧିକ ବାର ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ହୋଇଆସିଛି ଓ ଏଭଳି ଆନ୍ଦୋଳନ ମଧ୍ୟ ଯୁକ୍ତିସଂଗତ। କିଛି ଆନ୍ଦୋଳନର ନେତୃତ୍ବ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ନେଇଥିବା ବେଳେ ଆଉ କିଛି ଆନ୍ଦୋଳନକୁ ସେ ଉପସ୍ଥିତ ନ ରହି ପ୍ରଛନ୍ନରେ ଉସକାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ। ଗୋଟିଏ ସମ୍ବେଦନଶୀଳ ଘଟଣାରେ ନ୍ୟାୟ ଦାବି କରିବା ଅପରାଧ ନୁହେଁ ବା ଏଭଳି ଆନ୍ଦୋଳନ ସବୁକୁ ପରଦା ପଛରେ ରହି ସମର୍ଥନ ଦେବା ମଧ୍ୟ କୌଣସି ପ୍ରକାରେ ଆଇନ ବିରୁଦ୍ଧ ନୁହେଁ।

ତେବେ କରୋନା କାଳରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଗୋଟିଏ ରାସ୍ତାରୋକ ସମୟରେ ଅତ୍ୟନ୍ତ ପ୍ରତିଶୋଧପରାୟଣ ହୋଇ ପଡ଼ିଥିଲା ସ୍ଥାନୀୟ ପ୍ରଶାସନ। ଦୂରଦୃଷ୍ଟି ବିହୀନ ନୟାଗଡ଼ ପୁଲିସ-ପ୍ରଶାସନ ସେଦିନ ଯେଉଁ ଭୁଲଟି କରି ବସିଥିଲା ତାହା ଆଜି ଅଯଥାରେ ସ୍ଥାନୀୟ ବିଧାୟକ ଓ ସରକାରଙ୍କ ପାଇଁ କଣ୍ଟା ହୋଇ ଠିଆ ହୋଇଛି। ଉକ୍ତ ଆନ୍ଦୋଳନରେ ସରପଞ୍ଚ ସୌମ୍ୟ ଆଦୌ ଉପସ୍ଥିତ ନ ଥିବା ବେଳେ ତାଙ୍କ ନାମରେ ଜିଲ୍ଲା ପୁଲିସ ମିଛ ମକଦ୍ଦମା କରିଥିବା ସୌମ୍ୟ ଗଣମାଧ୍ୟମକୁ କହିଛନ୍ତି। କେବଳ ତାଙ୍କ ନାମରେ ନୁହେଁ, ତାଙ୍କ ପିତାମାତାଙ୍କ ନାମରେ ମଧ୍ୟ ସେ ଘଟଣାରେ ମାମଲା ରୁଜୁ କରାଯାଇଥିଲା। ସୌମ୍ୟ ଆନ୍ଦୋଳନକୁ ଇନ୍ଧନ ଯୋଗାଉଥିବାରୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ପୁଲିସ ତାଙ୍କ ପରିବାରକୁ ଫସାଇବାର ହୀନ ଉଦ୍ୟମ କରିଥିଲା।

ଏପରିକି ତଥାକଥିତ ସେ ମିଛ ମାମଲାରେ ସୌମ୍ୟ ଗିରଫ ହୋଇ ଗୋଟିଏ ମାସ ଜେଲରେ ରହିଥିଲେ। ଜେଲରୁ ମୁକୁଳିବା ପରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଜବାବ୍‌ ଦେବାକୁ ସୌମ୍ୟ ଅଣ୍ଟା ଭିଡ଼ିଥିଲେ। ତେବେ ପୁଲିସ ଓ ପ୍ରଶାସନ ବିରୋଧରେ ତାଙ୍କର ରଣହୁଙ୍କାର ବିଶେଷ ପ୍ରଭାବୀ ନ ହେବାରୁ ଘଟଣାରେ ରାଜ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ପରୀ ମାମଲାରେ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଛନ୍ଦିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏକଦା ଅରୁଣଙ୍କ ଘନିଷ୍ଠ ଥିବା ସୌମ୍ୟ ହଠାତ ପରୀକୁ ଆୟୁଧ କରି ନୟାଗଡ଼ରେ ପାଲଟିଗଲେ ତାଙ୍କର ପ୍ରମୁଖ ବିରୋଧୀ।

ନିଜେ ପରୀ ଅଥବା ପରୀର ପରିବାର ଏପରିକି ସମ୍ପର୍କୀୟ ଓ ପାଖପଡ଼ୋଶୀଙ୍କର କୌଣସି ପ୍ରକାରେ ରାଜନୀତି ସହ ଅଥବା ବ୍ୟକ୍ତିଗତ ଭାବେ ବିଧାୟକ ଡ. ସାହୁଙ୍କ ସହ ସମ୍ପର୍କ ନଥିବା ବେଳେ ସମ୍ପୂର୍ଣ୍ଣ ଘଟଣାରେ ବିଧାୟକଙ୍କୁ ଖଳନାୟକ ସଜାଇବାର ଏକ ବ୍ୟୁହ ରଚନା କରାଯାଇଥିଲା।

ବ୍ୟୁହର ପ୍ରଥମ କାଣ୍ଡ ଥିଲା- ପରୀର ପିତାମାତା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିବା ଓ ଗଣମାଧ୍ୟମ ଆଗରେ ପରୀର ମୃତ୍ୟୁ ପାଇଁ ସିଧାସଳଖ ବିଧାୟକଙ୍କୁ ଦାୟୀ କରିବା। ବ୍ୟୁହର ଦ୍ବିତୀୟ କାଣ୍ଡ ଥିଲା- ସୌମ୍ୟଙ୍କ ସହ ବିଧାୟକଙ୍କ ଫୋନ୍‌ ବାର୍ତ୍ତାଳାପର ଏକଭାଇରାଲ୍‌ ଅଡିଓ ଟେପ୍। ଏହି ବାର୍ତ୍ତାଳାପରେ ବିଧାୟକ ଓ ସରପଞ୍ଚ ଆଦୌ ପରସ୍ପର ବିରୋଧୀ ଭଳି ମନେ ହେଉନାହାନ୍ତି। ବରଂ ବେଶ୍‌ ବନ୍ଧୁତା ଭାବ ଦେଖାଇ ସୌମ୍ୟଙ୍କୁ ଏ ସବୁ କାହିଁକି କରୁଛ ବୋଲି ପଚାରିଛନ୍ତି ବିଧାୟକ। ଅନ୍ୟପଟେ ପରୀର ବାପମାଆଙ୍କୁ ବିଧାୟକଙ୍କ ନିକଟକୁ ନେଇ ଆସିବେ ବୋଲି ଅତ୍ୟନ୍ତ ବିନୟୀ ଭାବେ ବାରମ୍ବାର କହୁଛନ୍ତି ସରପଞ୍ଚ ସୌମ୍ୟ। ପରୀର ପିତାମାତା ଯେ ତାଙ୍କ କଥାରେ ପରିଚାଳିତ ହେଉଛନ୍ତି ପରୋକ୍ଷରେ ଏହା ସ୍ପଷ୍ଟ କରିଛନ୍ତି ସୌମ୍ୟ। ବ୍ୟୁହର ତୃତୀୟ କାଣ୍ଡ ହେଉଛି- ପରୀର ଅଙ୍ଗ ଚୋରି ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସୌମ୍ୟ ନିଜେ ଗଣମାଧ୍ୟମ ଆଗରେ କହୁଛନ୍ତି ଓ ଏହା ପଛରେ ବଡ଼ ହସ୍ତୀଙ୍କର ହାତ ଥିବା ଦାବି କରୁଛନ୍ତି। ସମସ୍ତଙ୍କ ନଜର ଆଢ଼ୁଆଳରେ ଗାଁରେ ଅଙ୍ଗ ଚୋରି କରି ଗାଁରେ ଶବ ଫିଙ୍ଗିବା ଯଦିଓ ଆଧୁନିକ ଡାକ୍ତରୀ ବିଦ୍ୟାରେ ସମ୍ଭବ ନୁହେଁ, ତଥାପି ବିଧାୟକ ଓ ଶାସକଦଳକୁ ବଦନାମ କରିବାକୁ ଏଭଳି ଗୋଟିଏ ଆରୋପ ଅଣାଯାଇଛି। ବ୍ୟୁହର ଚତୁର୍ଥ କାଣ୍ଡ ହେଉଛି- ଏ ଅଙ୍ଗ ଚୋରି ପାଇଁ ସିଧାସଳଖ ପରୀ ଗାଁର ଜଣେ ବ୍ୟକ୍ତିଙ୍କୁ ଦାୟୀ କରିବା ଓ ସେ ବ୍ୟକ୍ତିଙ୍କୁ ବିଧାୟକ ସୁରକ୍ଷା ଦେଉଥିବା ଅଭିଯାଗ କରିବା।

ଏ ସବୁ ଅଭିଯାଗର ସତ୍ୟତା ନ ଥାଉ ପଛକେ, ସୌମ୍ୟଙ୍କ ମୁହଁରେ ଏଭଳି ଉକ୍ତି ସବୁ ତାଙ୍କୁ ରାଜ୍ୟରେ ବେଶ୍‌ ପ୍ରସିଦ୍ଧି ଓ ବହୁ ସମର୍ଥନ ଆଣିଦେଇଛି। ସେ ଉଚ୍ଚଶିକ୍ଷିତ ଓ ଚାକିରି ନ କରି ରାଜନୀତି ମାଧ୍ୟମରେ ଲୋକସେବା କରିବାକୁ ଗାଁକୁ ଫେରିଛନ୍ତି। ଏହା ତାଙ୍କ ବ୍ୟକ୍ତିତ୍ବକୁ ବହୁଗୁଣିତ କରିଛି। ତାଙ୍କ ଉପରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ହୋଇଥିବା ଉତ୍ପୀଡ଼ନର ସେ ପ୍ରତିଶୋଧ ନେଇ ପାରିଛନ୍ତି କି ନା ତାହା ତର୍ଜମାର ବିଷୟ। କିନ୍ତୁ ଏ ଘଟଣା ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ତଳକୁ ଖସାଇବା ସହ ରାତାରାତି ରାଜ୍ୟରେ ତାଙ୍କୁ ଜଣେ ହିରୋ କରି ଠିଆ କରାଇଛି। ଆଉ ଏ ସବୁ ପଛରେ ନୟାଗଡ଼ ପୁଲିସ-ପ୍ରଶାସନର ଗୋଟିଏ ଅଦୂରଦର୍ଶୀ କାର୍ଯ୍ୟାନୁଷ୍ଠାନ ହିଁ ଦାୟୀ।

Comments are closed.