Odisha Link
Bridging the Missing Links in Odisha

ଶୀତରେ ଥରୁଛି ଓଡ଼ିଶା, ଘନ କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ଲଗାତାର ଭାବେ ପାରଦ ହ୍ରାସ ପାଇବାରେ ଲାଗିଛି ଓ ଶୀତ ବଢିବାରେ ଲାଗିଛି। ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୨୪ ଘଣ୍ଟାରେ ସୋନପୁର ୭.୬ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି ।

ଘନ କୁହୁଡ଼ି ନେଇ ୮ଟି ଜିଲ୍ଲା ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଅନୁଗୁଳ ଓ ଢେଙ୍କାନାଳ। ଏଥିସହ ରାଜ୍ୟର ବାକି କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ବି ପଡ଼ିବ ବୋଲି ବିଭାଗ ସୂଚନା ଦେଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ କୁହୁଡ଼ି ପାଇଁ ପାଗ ଉପଯୋଗୀ ରହୁଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳବର୍ତୀ ଓଡ଼ିଶା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି।

୮ ତାରିଖ ସକାଳୁ କଟକ, ଜଗତସିଂହପୁର, ସୋନପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ପୁରୀ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। ଅର୍ଥାତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଭଳି ଶୀତ ଜାରି ରହିବ।

Comments are closed.