Odisha Link
Bridging the Missing Links in Odisha

କୃଷି ଆଇନ ରଦ୍ଦ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। କୃଷକ ସଂଗଠନ ଆଜି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୀତାରାମ ୟେଚୁରୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନେ ଯୋଗ ଦେଇଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, କୃଷକମାନେ ଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେମାନେ ଦିନରାତି କଠିନ ପରିଶ୍ରମ କରନ୍ତି। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ତାଙ୍କ ସ୍ୱାର୍ଥରେ ନାହିଁ। ସଂସଦରେ ଆଲୋଚନା ବିନା ଏହି ବିଲ୍ ଅସାମ୍ବିଧାନିକ ଭାବେ ପାରିତ ହୋଇଛି। ସେ କହିଛନ୍ତି ଯେ ଯେଉଁଭଳି ଭାବରେ କୃଷି ବିଲ୍ ପାରିତ ହୋଇଛି, ଆମେ ଏହା ଅନୁଭବ କରୁଛୁ ଯେ ଏହା ଚାଷୀଙ୍କ ପାଇଁ ଅପମାନ।

ଶରଦ ପାୱାର କହିଛନ୍ତି ଯେ, ସମସ୍ତ ବିରୋଧୀ ଦଳ କୃଷି ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି ଏବଂ ଏହାକୁ ଚୟନ କମିଟି ନିକଟକୁ ପଠାଯିବା ଉଚିତ। ମାତ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ, ଆଇନ ଭାବରେ ଏହାକୁ ଗୃହୀତ କରିଦେଲେ । କୃଷକଙ୍କ ସମସ୍ୟାର ସମାଧାନ କରିବା ସରକାରଙ୍କ କର୍ତ୍ତବ୍ୟ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସୀତାରାମ ୟେଚୁରୀ କହିଛନ୍ତି ଯେ, ଆମେ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛୁ। ଗଣତାନ୍ତ୍ରିକ ପଦ୍ଧତି ଗ୍ରହଣ ନକରି ପାରିତ ହୋଇଥିବା କୃଷି ଆଇନ ଏବଂ ବିଦ୍ୟୁତ୍ ସଂଶୋଧନ ବିଲ୍ ରଦ୍ଦ କରିବାକୁ ଆମେ ଅନୁରୋଧ କରୁଛୁ। ୨୫ ରୁ ଅଧିକ ବିରୋଧୀ ଦଳ କୃଷି ଆଇନ ପ୍ରତ୍ୟାହାର ଦାବିରେ ସହାୟତା କରିଛନ୍ତି। ଏହି ନିୟମଗୁଡ଼ିକ ଭାରତର ସ୍ୱାର୍ଥରେ ନାହିଁ ଏବଂ ଏହା ଆମର ଖାଦ୍ୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।

Comments are closed.