ଆଜି ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହି ସବୁ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ସରକାର ଏହି ଜରୁରୀ ବୈଠକ ଡାକିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ସୋମବାର ବୈଠକକୁ ନେଇ ଉତ୍କଣ୍ଠା ବଢ଼ିଛି। ସମ୍ଭବତଃ ଏହି ବୈଠକରେ ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି।
ସୋମବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ଅଛି। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତାବକୁ ମୋହର ଦେଇପାରେ କ୍ୟାବିନେଟ। ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର ଯୋଜନାର ସମୀକ୍ଷା କରିବା ସହ ଲିଙ୍ଗରାଜ ମନ୍ଦିର ଚାରିପାଖ ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ସେବାୟତମାନଙ୍କ ସହ କଥା ହୋଇଥିଲେ। ଲିଙ୍ଗରାଜ ମନ୍ଦିର ଆଇନ ପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦାବିକୁ ପୂରଣ କରିବାକୁ କଥା ଦେଇଥିଲେ।
ତେଣୁ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅନୁମୋଦନ ମିଳିବା ସମ୍ଭାବନା ଥିବା କୁହାଯାଉଛି। କୃଷି ଓ କୃଷକଙ୍କୁ ନେଇ ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ହୋଇପାରେ କ୍ୟାବିନେଟରେ।
Comments are closed.