Odisha Link
Bridging the Missing Links in Odisha

ବିଜେପିକୁ ପର କରିଦେଲେ ଲେଖାଶ୍ରୀ!

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୂର୍ବରୁ ଅଧ୍ୟାପିକା ଥିଲେ। ସେହି ଦୃଷ୍ଟିରୁ ସେ ଜଣେ ସ୍ଥିତପ୍ରଜ୍ଞ ଓ ବିଚାରବନ୍ତ ମହିଳା ହୋଇଥିବେ ବୋଲି ଏ ଲେଖକର ଧାରଣା ଥିଲା, ଯାହା କ୍ରମଶଃ ଭ୍ରମ ଭଳି ମନେହେଉଛି। ଅନେକ ସମୟରେ ନିଜର ଅଦୂରଦର୍ଶୀ ଓ ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ସେ ଉପହସିତ ଓ ନିନ୍ଦିତ ହେଉଛନ୍ତି। ଆଚରଣ ଓ ଉଚ୍ଚାରଣ ପାଇଁ ବିଭିନ୍ନ ସମୟରେ ଲେଖାଶ୍ରୀଙ୍କ ପାଇଁ ତାଙ୍କ ଦଳ ମଧ୍ୟ ଅଡ଼ୁଆରେ ପଡ଼ୁଛି। କଥା କହିବା ବେଳେ ଲେଖାଶ୍ରୀଙ୍କ ତୁଣ୍ଡରେ ବାଡ଼ବତା ରହୁନାହିଁ। କେତେବେଳେ ସେ କ’ଣ କହୁଛନ୍ତି ଓ ତାହା ପରବର୍ତ୍ତୀ ସମୟରେ ହୁଏତ ତାଙ୍କ ପାଇଁ ଓ ବିଜେପି ଦଳ ପାଇଁ ବୁମେରାଂ ପାଲଟିପାରେ ସେ ନେଇ ଲେଖାଶ୍ରୀ ଚିନ୍ତା କରୁଥିବା ପରି ଆଦୌ ଲାଗୁନାହାନ୍ତି।

ବିଜେପିର ଜାତୀୟ ମୁଖପାତ୍ର ତଥା ଗତ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରର ପରାଜିତ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଦେଶବାସୀ ଶ୍ରୀକ୍ଷେତ୍ର ଓଡ଼ିଶାରେ ଅବସ୍ଥିତ ଥିବା କଥା ଜାଣିଲେ ବୋଲି କହି ପକାଇ ନିକଟରେ ଦଳମତ ନିର୍ବିଶେଷରେ ସବୁ ମଞ୍ଚରୁ ଭର୍ତ୍ସନା ଗୋଟେଇଥିଲେ ଲେଖାଶ୍ରୀ। ଏପରିକି ନିଜ ଦଳର ସହଯୋଗୀ ମଧ୍ୟ ତାଙ୍କର ଏ ଜାତିବିରୋଧୀ ମନ୍ତବ୍ୟର ସମର୍ଥନରେ ବାହାରିଲେ ନାହିଁ। ଆଜି ସେଭଳି ଆଉ ଏକ ମନ୍ତବ୍ୟ ଦେଇ ଓଡ଼ିଶାବାସୀଙ୍କ ଆଗରେ ନିଜ ଦଳ ଭାରତୀୟ ଜନତା ପାର୍ଟିକୁ ପର ବୋଲି ପ୍ରମାଣିତ କରି ଦେଇଛନ୍ତି ଲେଖାଶ୍ରୀ। ପରୋକ୍ଷରେ ବିଜୁ ଜନତା ଦଳକୁ ଓଡ଼ିଶାବାସୀଙ୍କ ନିଜର ବୋଲି ସେ ଜଣାଇଛନ୍ତି।

ଲେଖାଶ୍ରୀଙ୍କର ବକ୍ତବ୍ୟଟି ଯଦିଓ ସମ୍ପୂର୍ଣ୍ଣ ରାଜନୈତିକ, ଏ ଲେଖକ ସେ ମନ୍ତବ୍ୟ ଭିତରେ ଏକ ଆତ୍ମଗର୍ବର ଗନ୍ଧ ବାରିପାରୁଛି। ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର, ଅନେକ ସମୟରେ ନିଜ ବାଡ଼ିରୁ ଶାଗୁଆନ ଗଛ ବିକ୍ରି କରି ଜନତାଙ୍କ ଉନ୍ନୟନ କରିବା ଭଳି ମତ ଦିଅନ୍ତି ଏବଂ ବିଭିନ୍ନ ବିକାଶମୂଳକ ଯୋଜନାରେ ଶ୍ରେୟ ଗୋଟେଇବା ଲଢ଼େଇରେ ମାତନ୍ତି।

ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ବେଳେ ଏହାର ଶ୍ରେୟ କେନ୍ଦ୍ରକୁ ଯିବ ବୋଲି ଦର୍ଶାଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ତେବେ କହୁ କହୁ ସେ କହିଛନ୍ତି ଯେ “ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି।”

ଓଡ଼ିଶାବାସୀଙ୍କ ଉନ୍ନୟନକୁ ଲେଖାଶ୍ରୀ ଅତିଥି ସତ୍କାର କହୁଥିବା ବେଳେ କେନ୍ଦ୍ର ସରକାରଙ୍କୁ ପର ଘର ବୋଲି ସେ ଦର୍ଶାଇଛନ୍ତି। ରାଜ୍ୟ ନିଜ କୋଷରୁ ନ ଦେଇ ପର ଘରୁ ଅର୍ଥ ଆଣି ଓଡ଼ିଶାବାସୀଙ୍କ ବିକାଶ କରୁଛି ବୋଲି ଲେଖାଶ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୭୧୭ କୋଟି ଅନୁଦାନ ଦେଇସାରିଲେଣି ବୋଲି ସେ କହିଛନ୍ତି। ଏ ଭଳି ଅନୁଦାନ ନିଶ୍ଚୟ ସ୍ବାଗତ ଯୋଗ୍ୟ। ତେବେ ଏ ଅନୁଦାନ ଆମ ଓଡ଼ିଶାର ନିଜର ହକ୍‌ ନୁହେଁ, ବରଂ ପର ଘର ତିଅଣ ବୋଲି ଲେଖାଶ୍ରୀ କାହିଁକି ଭାବିଲେ?

ସମ୍ଭବତଃ ବିଜେପି ନେତ୍ରୀ ଭୁଲିଯାଇଛନ୍ତି ଯେ ରାଜ୍ୟମାନଙ୍କର ସ୍ବକୀୟ ଭୌଗୋଳିକ ଅଞ୍ଚଳ ଓ ଅନ୍ୟ ରାଜ୍ୟ ଠାରୁ ଅଲଗା କ୍ଷେତ୍ର ଥିବା ବେଳେ କେନ୍ଦ୍ରର ପରିସୀମା ଛଡ଼ା ଅନ୍ୟ କିଛି ନାହିଁ। ଆମ ରାଜ୍ୟ ଭଳି ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ହିଁ କେନ୍ଦ୍ରର ସଂରଚନା। କିଛି ସରକାରୀ ଆୟ ଉପରେ କେବଳ ରାଜ୍ୟର ଅଧିକାର ଥିବା ବେଳେ ଅନ୍ୟ କିଛି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଗ ଥାଏ। ଅନୁରୂପ ଭାବେ କିଛି କ୍ଷେତ୍ରରୁ ସମସ୍ତ ଆୟ କେନ୍ଦ୍ର ଖାତାକୁ ଯାଏ। ତେବେ କେନ୍ଦ୍ର ଏକ ଭିନ୍ନ ଭୂଖଣ୍ଡ ହୋଇ ନ ଥିବାରୁ ଏହାର ଖର୍ଚ୍ଚ ମଧ୍ୟ ସିଧାସଳଖ ଅଥବା ରାଜ୍ୟମାନଙ୍କ ମାଧ୍ୟମରେ ହୋଇଥାଏ।

କେନ୍ଦ୍ରକୁ ପର ବୋଲି କହୁଥିବା ଲେଖାଶ୍ରୀ ସମ୍ଭବତଃ ଜାଣନ୍ତି ନାହିଁ ଯେ ରାଜ୍ୟର ଅଧିବାସୀ ମାନେ କେନ୍ଦ୍ରର ମଧ୍ୟ ଅଧିବାସୀ। କେନ୍ଦ୍ରର ସମସ୍ତ ଖର୍ଚ୍ଚ, ଅନୁଦାନ, ଉନ୍ନୟନ ଦେଶବାସୀଙ୍କ ପାଇଁ ଅର୍ଥାତ୍‌ ବିଭିନ୍ନ ରାଜ୍ୟରେ ବାସ କରୁଥିବା ରାଜ୍ୟବାସୀଙ୍କ ପାଇଁ ହିଁ ହୋଇଥାଏ। ଏଣୁ କେନ୍ଦ୍ର ଓ ରାଜ୍ୟ କେହି ବି ଓଡ଼ିଶାବାସୀଙ୍କର ପର ନୁହନ୍ତି ବୋଲି ତାଙ୍କର ହୃଦୟଙ୍ଗମ ହେବା ଜରୁରୀ।

ସ୍ବାସ୍ଥ୍ୟ, ଶିକ୍ଷା, ନିର୍ମାଣ ବା ଯେ କୌଣସି କ୍ଷେତ୍ରରେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପର ଘର ତିଅଣ ନୁହେଁ, ବରଂ ନିଜ ବାଡ଼ି ପରିବା।

Comments are closed.