Odisha Link
Bridging the Missing Links in Odisha

ଆରଜେଡି କର୍ମୀଙ୍କୁ ଆହ୍ବାନ ଦେଲେ ତେଜସ୍ବୀ, କହିଲେ- ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ…

ପାଟନା: କରୋନା କାଳରେ ଦେଶରେ ବିହାର ରାଜ୍ୟରେ ହୋଇଥିଲା ପ୍ରଥମ ନିର୍ବାଚନ। ଯେଉଁଥିରେକି ଏନଡିଏ ଦଳ ବହୁମତ ହାସଲ କରି ବିହାରରେ ସରକାର ଗଢ଼ିଛି। ଏପରିକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ଗଠନ କରି ସାରିଛନ୍ତି। ଅନ୍ୟପଟେ ନିର୍ବାଚନ ହାରିବା ପରେ ବି ସରକାର ଗଢ଼ିବାର ନିଶା ଆରଜେଡିର ଯାଇନି। ସୋମବାର ଦିନ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆରଜେଡିର ବୈଠକ ହୋଇଥିଲା।

ପ୍ରଥମ ବୈଠକରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଦଳୀୟ କର୍ମୀମାନଙ୍କୁ ସମ୍ବୋନ୍ଧନ କରି କହିଛନ୍ତି ଯେ, ଆଗକୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ସଜାଗ ରୁହ।ବିହାର ବାସୀ ମହାମେଣ୍ଟ ସପକ୍ଷରେ ଭୋଟ୍‌ ଦେଇଛନ୍ତି ହେଲେ ଏନଡିଏ ଦଳ କଷ୍ଟ ମଷ୍ଟେ ଯେକୌଣସି ପ୍ରକାରେ ସରକାର ଗଠନ କରିଛନ୍ତି ବୋଲି ସେ କହିଥିଲେ। ଏଥିସହିତ ମକର ସଂକ୍ରାନ୍ତି ପରଠୁ ବିହାରରେ ଧନ୍ୟବାଦ ଯାତ୍ରା ଆରମ୍ଭ ହେବ ବୋଲି ତେେଜସ୍ବୀ ବୈଠକରେ ଦଳୀୟ କର୍ମୀଙ୍କୁ କହିଛନ୍ତି।

ଦଳର ରାଜ୍ୟ ମୁଖ୍ୟ ଜଗଦାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ପାର୍ଟି କାର୍ଯ୍ୟାଳୟରେ ବସିଥିବା ବୈଠକରେ ତେଜସ୍ବୀ ଯାଦବ କହିଛନ୍ତି ଯେ, ଦଳ ମଧ୍ୟରେ ଯେଉଁମାନେ ଅନ୍ତର୍ଘାତି କାର୍ଯ୍ୟ କରୁଥିବା ପ୍ରମାଣିତ ହେବ ସେମାନଙ୍କୁ ନିସ୍ତାର ନାହିଁ। ନିର୍ବାଚନ ଫଳାଫଳ ଆହୁରି ବି ଭଲ ହୋଇଥାନ୍ତା ଯଦି କିଛି ଲୋକ ବିଶ୍ବାସଘାତକତା କରିନଥାନ୍ତେ। ପାର୍ଟିରେ ରହି ବି ଏନଡିଏ ସପକ୍ଷରେ କିଛି ଲୋକ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ତେଜସ୍ବୀ। ସେ ଆହୁରି କହିଛନ୍ତି ଯେ, ବିପରୀତ ପରିସ୍ଥିତିରେ ବି ରାଜଦ ବଡ଼ ପାର୍ଟି ଭାବେ ପରିଚୟ ପାଇଛି। ସବୁ ବର୍ଗର ଭୋଟ୍‌ ପାର୍ଟିକୁ ମିଳିଛି।

ଏଥିସହିତ ଜିତିଥିବା ଓ ହାରିଥିବା ପ୍ରାର୍ଥୀ ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସହ ସମ୍ପର୍କରେ ରହିବାକୁ କହିଛନ୍ତି ତେଜସ୍ବୀ। ଏହା ସହ ଏବେ ରାଜ୍ୟରେ ଯେଉଁଭଳି ସ୍ଥିତି ଲାଗି ରହିଛି ୨୦୨୧ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି।

Comments are closed.