Odisha Link
Bridging the Missing Links in Odisha

କାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ବାସୀ

ପୁରୀ: ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ ପରେ ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ପୁରୀ ଜିଲ୍ଲା ବାସୀ। ଏସ୍‌ଓପି ଅନୁଯାୟୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା କରିଛନ୍ତି। ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଶୀମନ୍ଦିରରେ ପ୍ରବେଶ କରିବେ। ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକନ ଚେକିଂ କରାଯିବ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରୁ ଖୋଲିଛି ଶୀମନ୍ଦିର। ତିନିଦିନ ଧରି ସେବାୟତ ଓ ସେବାୟତ ପରିବାର ବର୍ଗ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ହେଲେ କାଲିଠୁ ପୁରୀବାସୀଙ୍କୁ ମିଳିବ ମହାବାହୁଙ୍କ ଦର୍ଶନ କରିବାର ସୁଯୋଗ । ତିନଟି ସିଫ୍ଟରେ ପହୁଡ଼ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ କରିବେ ଶ୍ରୀମନ୍ଦିରରେ ପ୍ରବେଶ ।

ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟପତ୍ର ଓ ଟୋକନ ଚେକିଂ କରାଯିବା ପରେ ଫଟୋ ଉଠାଯିବ। ଏହାପରେ ଭକ୍ତଙ୍କୁ ମୁଖ୍ୟଦ୍ୱାର ନିକଟରେ ସାନିଟାଇଜ୍ ବ୍ୟବସ୍ଥା କରିଛି ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଆସନ୍ତାକାଲି ୭ଟି ୱାର୍ଡର ଅଧିବାସୀ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ଶୃଙ୍ଖଳିତ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଟୋକନ ପ୍ରଦାନ କରାଯାଇଥିବା ବେଳେ ସକାଳ ୭:୩୦ରୁ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ। ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ଆସନ୍ତା ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ରହିଛି।

Comments are closed.