ରାଜ୍ୟରେ ଅପରାଧ କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏହାକୁ ଡିଜି ଅଭୟ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଅଭୟ କହିଛନ୍ତି ଯେ, ୨୦୨୦ରେ ପୁଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏଥିସହ ୯୦୦ରୁ ଅଧିକ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି।
ମାଓବାଦୀ ସମ୍ପର୍କରେ ଅଭୟ କହିଛନ୍ତି କି, ଚଳିତ ବର୍ଷ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ ସ୍ଥିତି ଜାହିର କରିପାରିଛି। ସେହିପରି ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟରେ ଅପରାଧର ମାତ୍ରା କମିଛି ବୋଲି ଡିଜିପି କହିଛନ୍ତି।
ଜାନୁଆରୀରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧ ହଜାର ୫୪ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି। ଗଂଜେଇ ଚାଷ ଠାବ କରିବାକୁ ଇସ୍ରୋ ସହାୟତା କରୁଛି। କେଉଁଠି ଚାଷ ହେଉଛି ସେନେଇ ଇସ୍ରୋ ସାଟେଲାଇଟ୍ରୁ ତଥ୍ୟ ମିଳିପାରୁଛି। ତେବେ ଗଂଜେଇ ଅପେକ୍ଷା ଅଫିମ ଚାଷକୁ ଭଲ ଠାବ କରୁଛି ଇସ୍ରୋ।
ଏନେଇ ସୂଚନା ଦେଇଥିଲେ ପୋଲିସ ଡିଜି ଅଭୟ। ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ସିଜ୍ ହେଉଛି ଗଞ୍ଜେଇ। ଗତ ୫ ବର୍ଷର ହାରାହାରି ଦେଖିଲେ ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି।