ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ଟଙ୍କା

କର୍ଣ୍ଣାଟକ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ମଳିବ ୩ ଲକ୍ଷ ଟଙ୍କା। ଏଭଳି ଏକ ଯୋଜନା ଆଣିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ ଏପରି ନିୟମ ଅଣାଯାଇଛି। ଏହି ବୋର୍ଡ ତରଫରୁ ଅରୁନ୍ଧତୀ ଓ ମୈତ୍ରେୟୀ ନାମକ ଦୁଇଟି ଯୋଜନା ପ୍ରଣୟନ କରାଯାଇଛି।
ଯୋଜନା ଅନୁଯାୟୀ, ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ତରଫରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଯଦି ଯୁବତୀ ଜଣକ ନିଜ ସମୁଦାୟର ଜଣେ ପୁରୋହିତ କିମ୍ବା ପୂଜାରୀଙ୍କୁ ବିବାହ କରିବେ, ତେବେ ତାଙ୍କୁ ୩ ଲକ୍ଷ ମିଳିବ। ବିବାହର ୫ ବର୍ଷ ପରେ ଏହି ସହାୟତା ପ୍ରଦାନ କରାଯିବ ବୋଲି ସର୍ତ୍ତ ରହିଛି। ଏଥିପାଇଁ ବୋର୍ଡ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିସହ ସେମାନେ ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ପ୍ରମାଣ ଦାଖଲ କରିବାକୁ ପଡ଼ିବ।
ମନ୍ଦିର ପୂଜାରୀମାନେ ଦୟନୀୟ ଜୀବନଯାପନ କରୁଥିବାରୁ ସେମାନଙ୍କ ପାଇଁ ଏପରି ନିୟମ ପ୍ରଣୟନ କରାଯାଇଛି। ଏହି ସହାୟତା ରାଶିରେ ସେମାନେ କିଛି ବ୍ୟବସାୟ ଆରମ୍ଭ କରିପାରିବେ। ତେବେ ଏହି ଆଇନକୁ ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଛି। ବ୍ରାହ୍ମଣ ପରିବାରର ଝିଅମାନଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ ବିବାହ ବ୍ରାହ୍ମଣ ଝିଅମାନଙ୍କ ଏକମାତ୍ର ଲକ୍ଷ୍ୟ ନୁହେଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।