ଘର ଭିତରେ ପଶିଗଲା ସ୍କର୍ପିଓ, ଜଣେ ମୃତ

ନୂଆପଡ଼ା: ଘର ଭିତରେ ଥିବା ବେଳେ ପଶିଗଲା ସ୍କର୍ପିଓ। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ ଗଡ଼ରାମୁଣ୍ଡା ଗାଁରେ ନରେଶ ସିଂହଙ୍କ ଘର। ଆଜି ଦି’ପରେ ଘରେ ନରେଶ, ତାଙ୍କ ପତ୍ନୀ ନମିତା ଓ ୮ ବର୍ଷର ପୁଅ ଥିଲେ। ଏହି ସମୟରେ ଖଡ଼ିଆଳରୁ ବୋଡେନ୍ ଅଭିମୁଖେ ଯାଉଥିବା ସ୍କର୍ପିଓ କାନ୍ଥ ଭାଙ୍ଗି ନରେଶଙ୍କ ଘର ଭିତରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ନମିତାଙ୍କ ମୃତ୍ୟୁ ଘଟିଥିଲା।
ତେବେ ନରେଶ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଚାଳକଙ୍କୁ ବେହେ ଛେଚିବା ସହିତ ରାସ୍ତା ରୋକ କରିଥିଲେ। ଖବର ପାଇ ଖଡ଼ିଆଳ ଥାନା ପୁଲିସ ଗାଁରେ ପହଞ୍ଚି ସ୍କର୍ପିଓଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଁ ଲୋକେ ପୁଲିସ ଗାଡ଼ିକୁ ଛାଡ଼ି ନଥିଲେ। କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଗାଁରେ ଉତ୍ତେଜନା ଲାଗି ରହିଛି।