Odisha Link
Bridging the Missing Links in Odisha

ଡରାଉଛି ବେକାରୀ ସମସ୍ୟା, ଦେଶରେ ଯୁବପିଢ଼ି ଅଧିକ ବେକାର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ବେକାରୀ ସମସ୍ୟା। ଯାହାକୁ ନେଇ ଚିନ୍ତାରେ ଯୁବପିଢ଼ି। ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ବେକାରୀ ସଂଖ୍ୟା ଅଛି ସେ ମଧ୍ୟରୁ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ୪୦ବର୍ଷରୁ କମ୍‌ ବୟସର ବେକାରୀ ସଂଖ୍ୟା ଅଧିକ। ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।

ଦେଶର ଶ୍ରମ ଶକ୍ତିରେ ଅଧିକ ବୟସ୍କ ରହିବା ନେଇ ସିଏମ୍‌ଆଇଇ ଚିନ୍ତା ପ୍ରକଟ କରିଛି। ମହାମାରୀ ପରେ ଯେଉଁ ବେକାରି ସୃଷ୍ଟି ହୋଇଛନ୍ତି ତାହା ମୁଖ୍ୟତଃ ସହରାଞ୍ଚଳରେ ରହିଛି। ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପାସ୍ କରିଥିବା ଯୁବକଯୁବତୀ ଏବଂ ବେତନଭୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତଥ୍ୟ ଅନୁସାରେ ବେକାରି ସଂଖ୍ୟାରେ ୪୦ ବର୍ଷରୁ କମ୍ ବୟସର ଲୋକମାନଙ୍କ ହାର ୬୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୨୦୧୯-୨୦ରେ ତାହା ୫୬% ଥିଲା।

ଶ୍ରମ ଶକ୍ତିରେ ଯୁବପିଢ଼ିଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୟସ୍କଙ୍କ ସଂଖ୍ୟା ବଢ଼ୁଛି। ଏକ ବୟସ୍କ ଶ୍ରମ ଶକ୍ତିକୁ ନେଇ ଅର୍ଥନୀତିରେ ସୁଧାର ଆଣିବା ସହଜ ହେବ ନାହିଁ ବୋଲି ସିଏମ୍‌ଆଇଇ କହିଛି। ଯେଉଁମାନଙ୍କ ବୟସ ୨୦ ବର୍ଷ ପାଖାପାଖି ସେମାନଙ୍କ ମଧ୍ୟରୁ ୮୦% ବେକାର ହୋଇପଡ଼ିଥିବା ବେଳେ ୩୦ ବର୍ଷ ବୟସ ପାଖାପାଖି ୪୮% ଲୋକ ବେକାର ହୋଇପଡ଼ିଛନ୍ତି। ୨୦୧୯-୨୦ରେ ବେକାର ଲୋକଙ୍କ ମଧ୍ୟରୁ ୩୨% ସହରାଞ୍ଚଳରେ ଥିଲେ। ୨୦୨୦-୨୧ ଡିସେମ୍ବର ସୁଦ୍ଧା ସେଥିରେ ସେହି ହାର ୩୪%ରେ ପହଞ୍ଚିଛି। ସାଧାରଣରେ ଏକ ବିଶ୍ବାସ ରହିଛି ଯେ ସହରାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ସେଠାରେ ‌ଏତେ ଅଧିକ ସଂଖ୍ୟକ ବେକାର ରହିବା ଅର୍ଥନୀତି ପାଇଁ ଭଲ ନୁହେଁ ବୋଲି ସିଏମ୍‌ଆଇଇ ତରଫରୁ କୁହାଯାଇଛି।

ଦେଶର ମୋଟ ଶ୍ରମ ଶକ୍ତିରେ ମହିଳାଙ୍କ ଅବଦାନ ମାତ୍ର ୧୧% ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ବେକାରି ହାର ୫୨ ପ୍ରତିଶତ ରହିଛି। ବିମୁଦ୍ରୀକରଣ ସମୟରେ ଅନେକ ମହିଳା ବେକାର ହୋଇପଡ଼ିଥିଲେ। ଏହାର ପରର୍ବତୀ ସମୟରେ କରୋନା ମହାମାରୀ ଅଧିକ ମହିଳାଙ୍କ ହାତରୁ ଜୀବିକା ଛଡ଼ାଇ ନେଇଛି। ୨୦୧୯-୨୦ ତୁଳନାରେ ୨୦୨୦ ଡିସେମ୍ବର ସୁଦ୍ଧା ଦେଶର ମୋଟ ନିଯୁକ୍ତିରେ ୧୪.୭ ନିୟୁତ ହ୍ରାସ ଘଟିଛି।

Comments are closed.