Odisha Link
Bridging the Missing Links in Odisha

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଗାଁରୁ ଆସିଛି ଏକ ଦୁଃଖ ଦାୟକ ଖବର। ମେଡ଼ିକାଲରୁ ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ।

ପ୍ରକାଶ ଯେ, ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ। ତେବେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମେଡ଼ିକାଲରେ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ଶବ ନେବାକୁ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଡ଼ାକ୍ତର ମହାପ୍ରୟାଣ ଗାଡିର ସୁବିଧା ନଥିବା କହିଥିଲେ। ମୃତକଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ, ଅଟୋକୁ ଯୋଗା ଯୋଗ କରିଥିଲେ।

କିନ୍ତୁ ଶବ ନେବା ପାଇଁ ଗାଡି ନମିଳିବାରୁ ବାଧ୍ୟହୋଇ ବାଇକରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ। ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନାଯୋଗ୍ୟ ଯେ, ଜଗନ୍ନାଥ ପ୍ରସାଦ ମେଡ଼ିକାଲ ଠାରୁ ମାତ୍ର ଏକ କିମି ଦୂରତାରେ ମୃତକଙ୍କ ଗ୍ରାମ ଜିରାବାଡ଼ି ଅବସ୍ଥିତ। ଅନ୍ୟପଟେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ କେନ୍ଦ୍ରରେ ମହାପୟାଣ ବ୍ୟବସ୍ଥା ନଥିବାରୁ ପ୍ରାୟ ୩୦ କିମି ଦୂର ଭଞ୍ଜନଗର ଚିକିତ୍ସାରୁ ଗାଡ଼ି ଯାଇଥାଏ।

Comments are closed.