Odisha Link
Bridging the Missing Links in Odisha

ଇସ୍ପାତ୍ କ୍ଷେତ୍ର ଓ ଖଣି ପରିଚାଳନା ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଝାଡ଼ଖଣ୍ଡ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦି ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଝାଡ଼ଖଣ୍ଡ ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଝାଡଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବଦା ବର୍ତମାନର ସାମାଜିକ ଦାୟିତ୍ୱ ନିଜ ହାତକୁ ନେଉଥିବା ସଂଗଠନର ନାଁ ଏବିଭିପି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ରାଜଭବନ ଠାରେ ରାଜ୍ୟପାଳ ଦ୍ରୌପଦି ମୁର୍ମୁଙ୍କୁ ଭେଟିବା ସହ ଝାଡ଼ଖଣ୍ଡର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସାକ୍ଷାତ୍‌ ଳକରିବା ସହ ଝାଡଖଣ୍ଡରେ ଜାତୀୟ ଖଣିଜ ବିକାଶ ଉଦ୍ୟୋଗ(ଏନଏମଡ଼ିସି) ତଥା ଷ୍ଟିଲ୍ ଅଥୋରିଟି ଅଫ୍‌ ଇଣ୍ଡିଆର ଖଣି ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଜାତୀୟ ଖଣିଜ ଏନଏମଡ଼ିସି ଓ ସେଲର ସହଜରେ ପରିଚାଳନା ନେଇ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମୋଦି ସରକାର ଏବଂ କେନ୍ଦ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଝାଡଖଣ୍ଡର ବିକାଶ ପାଇଁ କଟିବଦ୍ଧ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଲୋଚନା କାଳରେ ଦୋହରାଇଥିଲେ।

ଝାଡ଼ଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏବିଭିପି କେବଳ ଏକ ଛାତ୍ର ସଂଗଠନ ନୁହେଁ ବରଂ ଏକ ସାମାଜିକ ସଂଗଠନ, ବିଶ୍ୱର ଏକ ପ୍ରବାହ,ସାମାଜିକ ଶକ୍ତି ଓ ଆଜି ଏବଂ ବର୍ତ୍ତମାନର ଭବିଷ୍ୟତ। ଆଜି ଦୁନିଆ ପରିବର୍ତନ ହେଉଥିବା ବେଳେ ଭାରତ ଦୁନିଆର ନେତୃତ୍ୱ ନେଉଛି। କରୋନା ଟିକା ପ୍ରସ୍ତୁତ କରି ଭାରତ ବିଶ୍ୱବାସୀଙ୍କ ଦାୟିତ୍ୱ ନେଇଛି। ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ। କରୋନା ଟିକା ହେଉ କିମ୍ବା ମହାମାରୀ ସମୟରେ ପିପିଇ କିଟ୍ ଉତ୍ପାଦନ କରିବା ଓ ବିଶ୍ୱକୁ ରପ୍ତାନୀ କରିବାରେ ଭାରତ ଅଗ୍ରଣୀ ରାଷ୍ଟ୍ର ମଧ୍ୟରେ ଉଭା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Comments are closed.