Odisha Link
Bridging the Missing Links in Odisha

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେବେ ୧୦ ଲେଖକ

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ଆୟୋଜିତ ହେଉଛି ‘ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୨୦’। ଆଜି ଭୁବନେଶ୍ବରର ହୋଟେଲେ ପାର୍କ ପ୍ରିମିୟମରେ ଏହି ପୁରସ୍କାର ଉତ୍ସବର ଚତୁର୍ଥ ସଂସ୍କରଣ ଆୟୋଜିତ କରାଯିବ। ଏହି ସମାରୋହରେ ବରିଷ୍ଠ କବି ତଥା ବିଶିଷ୍ଟ ଗାନ୍ଧିବାଦୀ ଓ ସର୍ବୋଦୟ କର୍ମୀ ଶ୍ରୀ ଶୈଳଜ ରବି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ। ଏଥିସହ କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ପୂର୍ବତନ କୁଳାଧିପତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ। ସାମ୍ବାଦିକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ବ କରିବେ।

ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହରେ ୪୦ ବର୍ଷରୁ କମ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯିବ। ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ରେ ଓଡ଼ିଆ ଭାଷାର ୬ଟି ପାଣ୍ଡୁଲିପି ସ୍ଥାନ ପାଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ସ୍ଥାନ ପାଇଛି।
ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଞ୍ଜନ ପଟ୍ଟନାୟକ, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ’ ପାଇଁ ରୁଦ୍ରରଞ୍ଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ବାଇଁ, କବିତା ପାଣ୍ଡୁଲିପି ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ବାଇଁ ଓ କବିତା ପାଣ୍ଡୁଲିପି ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନାଙ୍କୁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପ୍ରଦାନ କରାଯିବ।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍ଭାସ୍’ ପାଇଁ ତୁଳିକା ବିବିଧରଂଗ ଓ ‘ଜିନ୍ଦଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଥିବା ବେଳେ ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍ ଥଟ୍ସ’ ପାଇଁ ମିୟୋଗ ର‍ଞ୍ଜନ ପାତ୍ର ଓ ‘ଏ ପଟ୍ପୁରି ଅଫ୍ ପୋଏମ୍ସ’ ପାଇଁ ଅଙ୍କିତା ସାହୁଙ୍କୁ ଏହି ଏହି ପୁରସ୍କାର ପ୍ରଦାନ କରାଯିବ।

ପ୍ରଥମ ବର୍ଷ କେବଳ ଓଡ଼ିଆ ଲେଖକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୨୦୧୮ ମସିହା ଠାରୁ ଏଥିରେ ଇଂରାଜୀ ଓ ହିନ୍ଦୀ ପାଣ୍ଡୁଲିପିକୁ ମଧ୍ୟ ସାମିଲ କରାଯାଇଛି। ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ ଜଣ ଲେଖକଙ୍କ ପାଣ୍ଡୁଲିପିକୁ ଚୟନ କରାଯାଇଛି। ଏହି ସ୍ବତନ୍ତ୍ର ପୁରସ୍କାର ସମାରୋହରେ ଯୁବ ଲେଖକମାନଙ୍କୁ ସମ୍ମାନିତ କରାଯିବା ସହ ପୂର୍ବ ସଂସ୍କରଣରେ ପୁରସ୍କୃତ ହୋଇଥିବା ଲେଖକଙ୍କ ପାଣ୍ଡୁଲିପି ଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ ପାଇବ।

ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରକାଶନ ବିଭାଗ ହେଉଛି ପେନ୍ ଇନ୍ ବୁକ୍ସ। ଏହି ପୁରସ୍କାର ସମାରୋହ ଭିନ୍ନ ଓଡ଼ିଆ ମିଡ଼ିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥାଏ। ସେସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡ଼ିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ। ୨୦୦୬ ମସିହାରୁ ପୁସ୍ତକ ପ୍ରକାଶ କରି ଆସୁଥିବା ପେନ୍ ଇନ୍ ବୁକ୍ସ ୩୦୦ରୁ ଅଧିକ ପ୍ରସିଦ୍ଧ ପୁସ୍ତକ ଛାପିବା ସହ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଉଭା ହୋଇଛି। ଏହା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଭାଷାର ପୁସ୍ତକ ମଧ୍ୟ ପ୍ରକାଶ କରିଥାଏ।

Comments are closed.