ପୁଣି ପଦାରେ ପଡ଼ିଲା ଚୀନର ମନମାନି, ଅରୁଣାଚଳ ପ୍ରଦେଶର ୪.୫ କି.ମି ଭିତରେ ତିଆରି କଲା ଘର

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଲାଗି ରହୁଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବସୁଛୁ ଗୋଟାଏ ପରେ ଗୋଟାଏ ବୈଠକ। କିନ୍ତୁ ଏସବୁ ମଧ୍ୟରେ ବଦଳୁ ନାହିଁ ଚୀନର ଭାରତ ବିରୋଧୀ ମନୋଭାବ।ଗୋଟାଏ ପଟେ ଆଲୋଚନା ଚାଲୁଥିବା ବେଳେ ଅନ୍ୟପଟେ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ଉଦ୍ୟମ କରୁଛି ଚୀନ।
ମିଳିଥିବା ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶରେ ଚୀନ୍ ଏକ ନୂଆଁ ଗାଁ ସ୍ଥାପନ କରିଛି ଯେଉଁଠି ପାଖାପାଖି ଶହେରୁ ଅଧିକ ଘର ରହିଛି। ଏନେଇ ଉପଗ୍ରହ ଚିତ୍ରରୁ ସୂଚନା ମିଳିଛି। ଗତ ନଭେମ୍ବର ୧ ତାରିଖର ଉକ୍ତ ଉପଗ୍ରହ ଚିତ୍ରକୁ ବିଶେଷଜ୍ଞମାନେ ତର୍ଜମା କରି ଏପରି ତଥ୍ୟ ଜାଣିବାକୁ ପାଇପାରିଛନ୍ତି। ଭାରତୀୟ ସୀମା ଭିତରେ ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରାୟ ସାଢ଼େ ୪ କିଲୋ ମିଟର ଅଞ୍ଚଳରେ ଚୀନ ଏହି ଗାଁ ସ୍ଥାପନ କରିଛି। ଏହା ଏବେ ଭାରତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଉକ୍ତ ଗାଁଟି ଅପର୍ ସୁବର୍ଣ୍ଣଶିରି ଜିଲ୍ଲା ଅନ୍ତର୍ଗତ ସାରି ଚୁ ନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ସଂପୃକ୍ତ ଅଂଚଳ ଉଭୟ ଚୀନ୍ ଓ ଭାରତ ଦ୍ବାରା ବିବାଦୀୟ ରହି ଆସିଛି। ଅନେକ ଥର ଉଭୟ ପକ୍ଷର ସୁରକ୍ଷା କର୍ମୀ ସେଠାରେ ମୁହାଁମୁହିଁ ମଧ୍ୟ ହୋଇଥିବା ନଜିର ରହିଛି।
ସୂଚନାଥାଉକି, ୨୦୨୦ ଜୁନ୍ ମାସରେ ଉଭୟ ଦେଶର ସୈନିକମାନଙ୍କ ଦ୍ବାରା ଲଦାଖ୍ର ଗଲୱାନ୍ରେ ଦଶନ୍ଧିର ସବୁଠୁ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଲା। ଏବେ ହିମାଳୟର ପୂର୍ବ ଭାଗ ଅରୁଣାଚଳ ପ୍ରଦେଶରେ ଚୀନ୍ ଏପରି ନିର୍ମାଣ କରି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୧୯ ମସିହା ଅଗଷ୍ଟ ୨୬ ତାରିଖରେ ଉକ୍ତ ସ୍ଥାନର ନିଆଯାଇଥିବା ଉପଗ୍ରହ ଚିତ୍ରରେ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ନଥିବା ଜଣାଯାଇଥିଲା। ତେବେ ଗତ ବର୍ଷ ହିଁ ସେଠାରେ ଚୀନ୍ ଏପରି ଗୃହନିର୍ମାଣ କରି ଗାଁ ବସାଇଛି ବୋଲି ଅନୁମାନ କରାଯାଉଛି।
Comments are closed.