Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ବର: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଆଜି ରାଜ୍ୟ ସଂଗ୍ରହାଳୟ ଖୋଲିଛି। ପ୍ରତିଦିନ ସଂଗ୍ରହାଳୟକୁ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ କହିଛନ୍ତି। ମାତ୍ର ସଂଗ୍ରହାଳୟ ଅଧୀନରେ ଥିବା ଆଞ୍ଚଳିକ ସଂଗ୍ରହାଳୟରେ ପୂର୍ବଭଳି କୋଭିଡ ନିୟମ ବଳବତ୍ତର ରହିବ।

ରାଜ୍ୟ ସଂଗ୍ରହାଳୟର ଆକର୍ଷଣୀୟ ତ୍ରିରଙ୍ଗା ଆଲୋକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ତେବେ ସଂଗ୍ରହାଳୟରେ କେବଳ ନୌବାଣିଜ୍ୟ ଗ୍ୟାଲେରୀ ନୂଆ କରି ଦର୍ଶକ ଦେଖିପାରିବେ। ଉଦ୍‌ଘାଟନ ହେବାକୁ ଥିବା ୫ ଗ୍ୟାଲେରୀ କିଛି ଦିନ ପରେ ଖୋଲିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସଂଗ୍ରହାଳୟରେ ଲୋକଙ୍କୁ ଧାଡ଼ିରେ ସାମାଜିକ ଦୂରତା ବଜାୟ ରଖି ଭିତରକୁ ପ୍ରବେଶ ଅନୁମତି ଦିଆଯିବ। ଫାଟକ ନିକଟରେ ସମସ୍ତଙ୍କର ର୍ଥମାଲ ସ୍କ୍ରିନିଂ କରାଯିବ। ଏହାସହିତ ସାନିଟାଇଜ୍‌ ମଧ୍ୟ କରାଯିବ। ତେବେ ପୂର୍ବରୁ କେବଳ ସୋମବାର ବନ୍ଦ ରହୁଥିବାବେଳେ ଏବେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଶନିବାର ମଧ୍ୟ ବନ୍ଦ ରହିବ। ଏହାବ୍ୟତୀତ ପ୍ରତିଦିନ ସଂଗ୍ରହାଳୟ ଖୋଲା ରହିବ।

ପୂର୍ବଭଳି ଟିକଟ ଦର ରହିଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲାରହିବ। ତେବେ ସରକାର କୋଭିଡ କଟକଣାରେ ଅଧିକ କୋହଳ କଲେ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ। ବର୍ତ୍ତମାନ କେବଳ ଅଫ୍‌ଲାଇନ୍‌ରେ ଟିକଟ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ ଟିକଟ ବ୍ୟବସ୍ଥା କରାଯିବ। ଏନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଏହାଛଡ଼ା ସଂଗ୍ରହାଳୟ ପରିସରରେ ଥିବା ଉଦ୍ୟାନର ମଧ୍ୟ ରୂପରେଖ ବଦଳିଛି। ଆକର୍ଷଣୀୟ ଫୁଲ ସାଙ୍ଗକୁ ସାଜସଜ୍ଜାରେ ପରିବର୍ତ୍ତନ ହୋଇଛି। ଯାହାକି ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବ ବୋଲି ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି।

Comments are closed.