Odisha Link
Bridging the Missing Links in Odisha

ଆଜି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍

ୱାସିଂଟନ: ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍। ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍। ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ ଭିନ୍ନ ହେବାକୁ ଯାଉଛି। ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ ରାଜଧାନୀ ୱାସିଂଟନ ଡିସିରେ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି।

ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇକୁ ମିଳିଥିବା ସୂଚନା ଅନୁଯାୟୀ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ, ୱାସିଂଟନ ସମେତ ୫୦ଟି ରାଜ୍ୟର ରାଜଧାନୀରେ ହଙ୍ଗାମା କରିପାରନ୍ତି। ସେଥିପାଇଁ ହ୍ୱାଇଟ ହାଉସକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

କରୋନା କାଳରେ ହେଉଥିବା ଏହି ଶପଥ ସମାରୋହରେ ଭିଆଇପିଙ୍କ ସହ କ୍ୟାବିନେଟ୍ ସଦସ୍ୟ, ସାଂସଦ ଏବଂ ଆମେରିକା ସୁପ୍ରିମକୋର୍ଟର ବିଚାରପତି ସାମିଲ ହେବେ। ଡୋନାଲ୍ଡ ଟ୍ରମ୍ପ ଏହି ଶପଥ ସମାରୋହରେ ସାମିଲ ହେବାକୁ ପୂର୍ବରୁ ମନା କରିସାରିଛନ୍ତି। ୧୮୬୯ ପରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା, ଯେତେବେଳେ ବିଦାୟୀ ରାଷ୍ଟ୍ରପତିଙ୍କ ବିନା ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରାଯିବ।

Comments are closed.