Odisha Link
Bridging the Missing Links in Odisha

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଛି।

ସୂଚନା ମୁତାବକ, ବର୍ତ୍ତମାନ ୮ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ମେଡିକାଲ ବୋର୍ଡ଼ ଲାଲୁଙ୍କୁ ଦିଲ୍ଲୀ AIIMS ପଠାଇବାକୁ ପରାମର୍ଶ ଦେଇଛି। ଆଜି ଅପରାହ୍ନ ୫ ଟାରେ ଚାର୍ଟାର୍ଡ଼ ​​ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ଅଣାଯିବ।

ଗତକାଲି ବିଳମ୍ବିତ ରାତିରେ ଲାଲୁଙ୍କ ପତ୍ନୀ ରାବଡ଼ି ଦେବୀଙ୍କ ସହ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ପ୍ରମୁଖ ଲାଲୁଙ୍କୁ ଭେଟିଥିଲେ। ତେଜସ୍ୱୀଙ୍କ ସୂଚନା ଅନୁସାରେ, ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି। ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି। ଲାଲୁ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବାବେଳେ ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିସହ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଛି।

ଆରଆଇଏମଏସ୍‌ର ନିର୍ଦ୍ଦେଶକ ଡା କାମେଶ୍ୱର ପ୍ରସାଦ କହିଛନ୍ତି, ଦୁଇ ଦିନ ହେଲାଣି ଲାଲୁ ପ୍ରସାଦ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଲାଲୁଙ୍କୁ ଦିଲ୍ଲୀ ପଠାଇବା ପୂର୍ବରୁ ଜେଲ କର୍ତ୍ତୃପକ୍ଷ ସିବିଆଇ କୋର୍ଟରୁ ମଧ୍ୟ ଅନୁମତି ଆଣିବ ବୋଲି ସେ କହିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି।

Comments are closed.