Odisha Link
Bridging the Missing Links in Odisha

ଯୌତୁକ ପାଇଁ ବଧୂହତ୍ୟା

ରାଉରକେଲା: ଯୌତୁକ ପାଇଁ ବଧୂହତ୍ୟା। ଯୌତୁକ ପାଇଁ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ସ୍ୱାମୀ ଓ ଶାଶୂଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟଘଟଣା ଘଟିଛି ରାଉରକେଲା ଉଦିତନଗର ବାସନ୍ତୀ କଲୋନୀରେ। ମୃତକ ହେଉଛନ୍ତି ଭୁବନେଶ୍ୱର ନିବାସୀ ପ୍ରିୟଦର୍ଶିନୀ ବିଶ୍ୱାଳ।

ସୂଚନା ମୁତାବକ, ୨୦୧୫ ମସିହା ଅକ୍ଟୋବର ୩୧ରେ ପ୍ରିୟଦର୍ଶିନୀ ରାଉରକେଲା ଉଦିତନଗର ବାସନ୍ତୀ କଲୋନୀର ଜ୍ଞାନ ରଞ୍ଜନ ପ୍ରଧାନଙ୍କୁ ବିବାହ କରିଥିଲେ ଓ ବିବାହ ସମୟରେ ଯୌତୁକ ବାବଦକୁ ୩ ଲକ୍ଷ ୫୦ ହଜାର ଟଙ୍କା ସମେତ ସୁନା ଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ବାହାଘରର କିଛି ଦିନ ପରେ ଶାଶୂଘର ଲୋକେ ଯୌତୁକ ପାଇଁ ପ୍ରିୟଦର୍ଶିନୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଅନେକ ସମୟରେ ତାଙ୍କୁ ଖାଇବାକୁ ଦିଆଯାଉ ନଥିଲା ଓ ଘର ଭିତରେ ବନ୍ଦ କରି ଦିଆଯାଉଥିଲା ବୋଲି ଜଣାପଡିଛି।

ସ୍ୱାମୀ ଜ୍ଞାନ ରଞ୍ଜନ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଉଥିବା ନେଇ ପୂର୍ବରୁ ପ୍ରିୟଦର୍ଶିନୀ ଅଭିଯୋଗ କରିଆସୁଥିଲେ। ଗତକାଲି ଘଟଣାର ଆପୋଷ ସମାଧାନ ଓ ମିଳାମିଶା ପାଇଁ ମୃତକ ପ୍ରିୟଦର୍ଶିନୀଙ୍କ ଦାଦା ଓ ଭାଇ ବାସନ୍ତୀ କଲୋନୀରେ ପହଂଚି ଥିଲେ ଓ ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ଘଟଣାର ସମାଧାନ ପାଇଁ ରାତି ୮ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଆଜି ପ୍ରିୟଦର୍ଶିନୀଙ୍କ ଦାଦା ଓ ଭାଇ ତାଙ୍କୁ ନେଇ ଭୁବନେଶ୍ୱର ଆସିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସେହି ବାସନ୍ତୀ କଲୋନୀରେ ବିବାହ କରିଥିବା ପ୍ରିୟଦର୍ଶିନୀଙ୍କ ବଡ ଭଉଣୀ ଘରକୁ ଦାଦା ଓ ଭାଇ ରାତିରେ ରହିବ ପାଇଁ ଯାଇଥିଲେ। ରାତି ୧୦ଟା ବେଳକୁ ସ୍ୱାମୀ ଜ୍ଞାନ ରଞ୍ଜନ ଫୋନ କରି ପ୍ରିୟଦର୍ଶିନୀ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକ ପର୍ଯ୍ୟଦର୍ଶିନୀଙ୍କ ଦାଦା ଓ ଭାଇ ଅଭିଯୋଗ କରିଛନ୍ତି।ତାଙ୍କୁ ହତ୍ୟାକାରୀ ଟାଙ୍ଗି ଦିଆଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ଶାଶୁ-ଶ୍ୱଶୁର ଫେରାର ଥିବା ବେଳେ ସ୍ୱାମୀ ଜ୍ଞାନ ରଞ୍ଜନଙ୍କୁ ପୁଲିସ ଅଟକ ରଖି ପଚାର ଉଚୁରା କରୁଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ପ୍ରିୟଦର୍ଶିନୀଙ୍କ ଏକ ୧୪ ମାସର ପୁତ୍ର ସନ୍ତାନ ଥିବା ଜଣାପଡିଛି।

Comments are closed.