Odisha Link
Bridging the Missing Links in Odisha

୧୩ ବର୍ଷ ବୟସରୁ ନିଖୋଜ ଥିଲେ, ୫୭ ବର୍ଷ ପରେ ଜନ୍ମମାଟିକୁ ଫେରିଲେ

ଜଗତସିଂହପୁର: ପିଲାଟି ବେଳୁ ନିଖୋଜ ଥିଲେ। ଘର ଲୋକେ, ସମ୍ପର୍କୀୟ ବହୁ ଖୋଜା ଖୋଜି କରିଥିଲେ ହେଲେ ତାଙ୍କୁ ପାଇନଥିଲେ। ଏବେ ପାଖାପାଖୀ ୫୭ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି। ଏତେ ବର୍ଷ ପରେ ଜଣେ ଡ୍ରାଇଭରଙ୍କ ପାଇଁ ସେ ଏବେ ନିଜ ଭିଟାମାଟିକୁ ଫେରିଛନ୍ତି। ଯାହାରିଫଳରେ ସେ ଗାଁକୁ ଫେରି ପାରିଛନ୍ତି। ଅପରପକ୍ଷେ ରକ୍ତ ସଂପର୍କର ହୋଇନଥିଲେ ବି ଏତେଦିନ ଧରି ସ୍ନେହ, ମମତା ଦେଇ ପାଖରେ ରଖିଥିବା ଭଉଣୀଟି ଅଚାନକ ଭାଇକୁ ବିଦାୟ ଦେବାକୁ ଯାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଏପଟେ ନିଜ ଭାଇ ସାଥିରେ ଘରକୁ ଫେରିବା ବେଳେ ଭାଇ-ଭଉଣୀଙ୍କ ଆଖିରୁ ଝରି ପଡୁଥିବା ଲୁହ ଦେଖି ଦେଖଣାହାରୀ ବି ସ୍ତବ୍ଧ ହୋଇ ଯାଇଥିଲ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ ନପଙ୍ଗ ପଞ୍ଚାୟତ ବିରଳ ସାନକୋଷ୍ଟି ଗାଁରେ।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଫୁଲହାର ଗାଁର ସ୍ୱର୍ଗତ ରାମଚନ୍ଦ୍ର ପଲାଉରୀ ଓ ମାତା ଅମରୀଙ୍କ ବଡ଼ ପୁଅ ଚରଣ। ତାଙ୍କୁ ଯେତେବେଳେ ୧୩ ବର୍ଷ ସେ କୌଣସି କାରଣରୁ ଘରୁ ଚାଲିଆସିଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ବି ପାଇନଥିଲେ। ପରେ ଭଟିମୁଣ୍ଡା ଅଞ୍ଚଳର ସ୍ୱର୍ଗତ ଗଜେନ୍ଦ୍ର ଦାସ ତାଙ୍କୁ ଆଶ୍ରୟ ଦେଇଥିଲେ। ଗଜେନ୍ଦ୍ରଙ୍କ ଝିଅ ଊର୍ମିଳା ମଧ୍ୟ ତାଙ୍କୁ ମଧ୍ୟ ନିଜ ରକ୍ତର ଭାଇ ଭଳି ଦେଖୁଥିଲେ। ସମୟ କ୍ରମେ ଊର୍ମିଳା ଟାଙ୍ଗୀ ବିରଳ ଗ୍ରାମର ଶରତ ଚନ୍ଦ୍ର ଦାସଙ୍କୁ ବିବାହ କରିଥିଲେ। ହେଲେ ଚରଣ ମଧ୍ୟ ଭଉଣୀ ସହ ପଳାଇ ଆସିଥିଲେ ବିରଳ ଗାଁକୁ । ଊର୍ମିଳାଙ୍କ ପିଲାମାନେ ମଧ୍ୟ ତାଙ୍କୁ ମାମୁ ବୋଲି ସମ୍ବୋଧନ କରୁଛନ୍ତି। ଚରଣଙ୍କୁ ଏବେ ୭୦ ବର୍ଷ । ଚରଣଙ୍କୁ ଶ୍ରଦ୍ଧାରେ ସମସ୍ତେ ବାଇଆ ବୋଲି ଡାକନ୍ତି। ହେଲେ ବିଧିର ବିଧାନ ଅଲଗା । ଆଳିପିଙ୍ଗଳ ଅଞ୍ଚଳର ଜଣେ ଗାଡ଼ି ଡ୍ରାଇଭର ସାଜିଲେ ଦେବଦୂତ।

ଡ୍ରାଇଭରଜଣଙ୍କ ଗାଡ଼ି ନେଇ ବିରଳ ଆସିଥିବା ବେଳେ ସେ ଚରଣଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଘର ଜଗତସିଂହପୁର ଫୁଲହାର ବୋଲି କହିଥିଲେ । ହେଲେ ଆଉ କିଛି ମନେ ନଥିବା ପ୍ରକାଶ କରିଥିଲେ ।ଡ୍ରାଇଭର ଜଣଙ୍କ ଫୋନ୍‌ କରି ଫୁଲହାର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରି ସମସ୍ତ ଘଟଣା କହିବା ପରେ ରବିବାର ଚରଣଙ୍କ ସାନ ଭାଇ ବିଜୟ ଓ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୂର୍ଯ୍ୟନାରାୟଣ ଦାସ, ପ୍ରବୀର କୁମାର ସ୍ୱାଇଁଙ୍କ ସମେତ ପରିବାର ଲୋକ ବିରଳ ଗ୍ରାମରେ ପହଞ୍ଚି ପଚାରିପଚାରି ଶରତଙ୍କ ଘରେ ପହଞ୍ଚିଥିଲେ। ଦୀର୍ଘ ବର୍ଷ ପରେ ବି ସାନ ଭାଇ ବିଜୟ ବଡ଼ଭାଇଙ୍କୁ ଚିହ୍ନି ପାରି କୁଣ୍ଢାଇ ପକାଇଥିଲେ। ଦୁଇ ଭାଇଙ୍କ ଆଖିରୁ ଲୁହ ଝରିଯାଇଥିଲା ।

ଅନ୍ୟପଟେ ହୁଳହୁଳି, ବାଜା ବଜାଇ ଗ୍ରାମବାସୀ ଚରଣଙ୍କ ବେକରେ ଫୁଲମାଳ ପିନ୍ଧାଇ ପାଛୋଟି ନେଇଥିଲେ। ସମସ୍ତଙ୍କ ଆଖି ଜକେଇ ଆସିଥିଲା। କେହି ଭାବି ନଥିଲେ ୧୩ ବର୍ଷ ବୟସରୁ ଘର ଛାଡ଼ିଥିବା ଚରଣଙ୍କୁ ଆଜି ଆମ ଗହଣରେ ଦେଖିବୁ ଏବଂ ତା’ସହ ମିଶିବୁ। ଏବେ ବଡ଼ ଭାଇକୁ ଫେରି ପାଇ ସାନ ଭାଇ ବିଜୟ କୁମାର ପଲାଉର ଖୁସିରେ ଆତ୍ମହରା। ଆଉ ମୋ ଭାଇକୁ ଆଖି ଆକରୁ କେବେ ଦୂରେଇ ଦେବି ନାହିଁ। ପରିଶ୍ରମ କରି କରି ଥକି ଯାଇଛି ମୋ ଭାଇ। ପୁଅ ମୋର ରାଜମିସ୍ତ୍ରୀ। ମୁଁ ମଧ୍ୟ ରୋଜଗାର କରୁଛି। ସେ ଘରେ ରହିବେ । ଭଗବାନ ଏବେ ଆମ ଘର ପ୍ରତି ସଦୟ କୃପାଦୃଷ୍ଟି ପକାଇଛନ୍ତି ବୋଲି କହିଛନ୍ତି ବିଜୟ।

Comments are closed.