Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା ପୂର୍ବରୁ ୩ ଥର ପ୍ରି-ଟେଷ୍ଟ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ୩ ଥର ହେବ ପ୍ରି-ଟେଷ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ ଥର ପ୍ରିବୋର୍ଡ ଦେବାକୁ ପଡ଼ିବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ପଡ଼ିବ। ସେହିପରି ୬୦% ପାଠପଢ଼ା ପରେ ଦ୍ୱିତୀୟ ପରୀକ୍ଷା ଓ ୮୦% ପାଠପଢ଼ା ପରେ ତୃତୀୟ ପ୍ରି-ଟେଷ୍ଟ ପରୀକ୍ଷା ହେବ। ପ୍ରି-ଟେଷ୍ଟ ପରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବେ।

ଅପରପକ୍ଷରେ ବର୍ତମାନ ସୁଦ୍ଧା ଅଧିକାଂଶ ବିଦ୍ୟାଳୟରେ ୪୦% ପାଠପଢ଼ା ଶେଷ ହୋଇଥିବାରୁ ପ୍ରଥମ ପ୍ରି-ଟେଷ୍ଟ ପାଇଁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅପରପକ୍ଷରେ ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେନାହିଁ । ଯେଉଁ ସ୍କୁଲରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବ ସେଠାରେ ହିଁ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ରାଜ୍ୟରେ ୮ ହଜାରରୁ ଅଧିକ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। କିନ୍ତୁ କେତେକ ସ୍କୁଲରେ ପାଚେରୀ ଓ ସ୍କୁଲ ଘରର ଅଭାବ ରହିଛି। ସେହିସବୁ ସ୍କୁଲର ପିଲାମାନେ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏଥିସହ କୌଣସି ପରୀକ୍ଷା କେନ୍ଦ୍ରରେ ୨୦୦ରୁ ଅଧିକ ପିଲା ପରୀକ୍ଷା ଦେବେନାହିଁ। ରାଜ୍ୟର ୪ ହଜାର ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା କରାଯାଇଛି । ଫର୍ମ ପୂରଣ ପରେ ଏସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Comments are closed.