Odisha Link
Bridging the Missing Links in Odisha

ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା: ମୋଦି

ନୂଆଦିଲ୍ଲୀ: ଆଜି ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ଦେଇଛି। ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆ ଗାବା ବିଜୟକୁ ନେଇ ଭାରତୀୟ ଯୁବ କ୍ରିକେଟ ଟିମକୁ ସାଧୁବାଦ ଜଣାଇଛନ୍ତି ମୋଦି। ସେ କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି।

ଯାହା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିବ। ଦେଶ ଏଭଳି ଗୌରବର ବିଜୟକୁ କେବେ ଭୁଲିପାରିବ ନାହିଁ। ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭୂତାଣୁ ପ୍ରତିରୋଧ ହେଉ କି ପ୍ରତିଷେଧକ ଉଭୟ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି, ଭାରତରେ ସର୍ବବୃହତ୍ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି।

ବ୍ରିଟେନରେ ୩୬ ଦିନ ଏବଂ ଆମେରିକାରେ ୧୮ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ଦେଶର ଅନେକ ଅଜଣା ଲୋକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଯାହାଫଳରେ ସେମାନେ ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି।

Comments are closed.