Odisha Link
Bridging the Missing Links in Odisha

ସହରରେ ବତୀ ଜାଳୁଛି କିଏ? ସରକାର ନା ବିଜେଡି

ଭୁବନେଶ୍ବର: ଆଉ ବାଇପାସ୍‌ରେ ଅନ୍ଧାର ନାହିଁ। ଆଲୋକରେ ଝଲସିଲା ୧୨ କିଲୋମିଟରର ଦୀର୍ଘ ଲମ୍ବା ରାସ୍ତା। କାରଣ ବହୁପ୍ରତୀକ୍ଷିତ ପୁରୀ-ଭୁବନେଶ‌୍ବର ବାଇପାସ୍‌ର ହେଲା ଆଲୋକୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏହାକୁ ଲୋକାର୍ପଣ କରିଛନ୍ତି। ଆଲୋକୀକରଣ ପ୍ରକଳ୍ପ ପାଇଁ ଉପକୃତ ହୋଇଛନ୍ତି ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ୱର ବାସିନ୍ଦା।

ତେବେ ଏନେଇ ଆଜି କିଛି ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଲୋକିକରଣର ଶୁଭ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେବ ବୋଲି ସେଥିରେ ଉଲ୍ଲେଖ ରହିଥିଲା। ଏଥିସହିତ ଏକାମ୍ର, ମଧ୍ୟ, ଉତ୍ତର ବିଧାୟକଙ୍କ ଫଟୋ ରହିଥିଲା। ହେଲେ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ଲୋଗୋ ବଦଳରେ ବିଜୁ ଜନତା ଦଳର ଲୋଗୋ ଦେଖିବାକୁ ମିଳିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଏଥିସହିତ ଏହା ରାଜ୍ୟ ସରକାରଙ୍କ ଦ୍ବାରା ହୋଇଛି ନା ବିଜେଡି ନିଜ ପାଣ୍ଠିରୁ ଏହି ପ୍ରକଳ୍ପ କରିଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି। ୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ହେଲେ ଏନ୍‌ଏଚ୍‌ଏଆଇ ଜାତୀୟ ରଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା। ପରେ ରାଜ୍ୟ ସରକାର ସଂଶୋଧିତ କରି ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ। ଏହି ବୃହତ ଆଲୋକୀକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comments are closed.