Odisha Link
Bridging the Missing Links in Odisha

ଟିକା ନନେଲେ ଦରମା ବନ୍ଦ!

କଟକ: ଆସନ୍ତା କାଲିଠୁ ରାଜ୍ୟର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ କରୋନା ଟିକା ଦିଆଯିବ। ଏଥିପାଇଁ କଟକ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ। ଫେବୃଆରୀ ୧୦ ସୁଦ୍ଧା ଟିକା ନେବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଟିକା ନନେଲେ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ବିଭିନ୍ନ ବିଭାଗକୁ ଚିଠି ଲେଖି କଟକ ଜିଲ୍ଲାପାଳ ଜଣାଇଛନ୍ତି।

ଅନ୍ୟପଟେ ଆସନ୍ତା କାଲିଠୁ କୋଭିଡ୍‌ ଯୋଦ୍ଧାମାନଙ୍କ ଲାଗି ୨ୟ ପର୍ଯ୍ୟାୟର ଟିକାକରଣ ଆରମ୍ଭ ହେବ। କଟକ ସହରରେ ଏଥର ୭ ଶହ ଜଣ ଆଗଧାଡିଆ କରୋନା ଯୋଦ୍ଧାଙ୍କୁ ଟିକା ଦେବାଲାଗି ତାଲିକା ପ୍ରସ୍ତୁତ କରିଛି ପ୍ରଶାସନ। ସହରର ୩ଟି ସ୍ଥାନରେ ହେବ ଟିକାକରଣ। ଏହି ୨ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବେ ପୋଲିସ କର୍ମଚାରୀ, ଜିଲ୍ଲାପାଳ ଅଫିସର କର୍ମଚାରୀ ଏବଂ ମହାନଗର ନିଗମର କର୍ମଚାରୀମାନେ। ଜିଲ୍ଲାପାଳ ଅଫିସ ନିକଟରେ ହିଁ କର୍ମଚାରୀମାନେ ଟିକା ନେବେ।

ସେହିପରି ସିଏମସି କର୍ମଚାରୀଙ୍କ ଲାଗି ଶହୀଦ ଭବନ ନିକଟସ୍ଥ କଲ୍ୟାଣ ମଣ୍ଡପକୁ ଚୟନ କରାଯାଇଛି। ପୋଲିସ ବିଭାଗ ପାଇଁ ଜବାହାର ଲାଲ୍‌ ଇଣ୍ଡୋର ଷ୍ଟାଡିୟମକୁ ଟିକାକରଣର ସ୍ଥାନ ଭାବେ ଚୟନ କରିଛଇ ପ୍ରଶାସନ। ଗତ ମାସ ୧୬ ତାରିଖରୁ ୨୯ ତାରିଖ ମଧ୍ୟରେ କଟକ ଜିଲ୍ଲାର ୧୫ ହଜାର ୯୯୦ ଜଣ କୋଭିଡ୍‌ ଟିକା ନେଇ ସାରିଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ କଟକ ଜିଲ୍ଲାକୁ ୧୯ ହଜାର ୧୦୦ ଭାଏଲ ଆସିଥିଲା ଏବେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଲାଗି କଟକ ଜିଲ୍ଲା ପାଇଁ ୧୪ ହଜାର ଭାଏଲ ଯୋଗାଇ ଦେଇଛନ୍ତି ସରକାର।

Comments are closed.