Odisha Link
Bridging the Missing Links in Odisha

କୋଟିଆ ପ୍ରସଙ୍ଗରେ ଜବାବ ଦେଲା ଆନ୍ଧ୍ର

ନୂଆଦିଲ୍ଳୀ: କୋଟିଆକୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦିଆଯାଇଛି। ଓଡ଼ିଶା ପକ୍ଷରୁ ଦାଏର ହୋଇଥିବା ଆବେଦନର ଜବାବ ଦାଖଲ କରିବାକୁ ଯାଇ ଆନ୍ଧ୍ର ତଥ୍ୟ ରଖିଛି ଯେ, ୨୦୦୬ ଏବଂ ୨୦୧୩ରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନର ଭୋଟ୍ ହୋଇଥିଲା।

ଆଉ ଏହି ସବୁ ଗାଁ ସେଥିରେ ଭୋଟ୍ ଦେଇଥିଲେ ବୋଲି ବିଜୟନଗରମ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ଏନେଇ ସତ୍ୟପାଠରେ କୁହାଯାଇଛି ଯେ, ଓଡ଼ିଶା ଦାବି କରୁଥିବା ୩ଟି ଗାଁ ଗଞ୍ଜେଇବାଦରା, ପାଟୁଚିନ୍ନାଉରୁ , ଫଲଗୁଚିନ୍ନାଉରୁ ଆନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି।

ସେପଟେ ଆସନ୍ତାକାଲି ରହିଛି ଓଡ଼ିଶାର ଶୁଣାଣି। ଆନ୍ଧ୍ରପ୍ରଦେଶର ଜବାବକୁ ଖାରଜ କରି ଓଡ଼ିଶା ସପକ୍ଷରେ ରାୟ ଦେବା ପାଇଁ ସୁପ୍ରିମକୋର୍ଟରେ କାଲି ଅପିଲ୍ କରିବ ଓଡିଶା। ଏଥିପାଇଁ ଓଡ଼ିଶା ପାଖରେ ତିନୋଟି ବଳଷ୍ଠ ପ୍ରମାଣ ରହିଥିବା କହିଛନ୍ତି ସୁପ୍ରିମକୋର୍ଟରେ ଓଡିଶାର ମାମଲା ଲଢୁଥିବା ଆଇନଜୀବୀ।

୨୦୧୧ ଜନଗଣନା ରିପୋର୍ଟ, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନର ଭୋଟର ତାଲିକା ଏବଂ ସଂପୃକ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ଉନ୍ନତିମୂଳକ କାମର ରିପୋର୍ଟ। କୋଟିଆ ଅଞ୍ଚଳର ଏହି ତିନୋଟି ଦସ୍ତାବିଜ୍ ଓଡ଼ିଶା ସରକାର ଆସନ୍ତାକାଲି ସୁପ୍ରିମକୋର୍ଟରେ ଦାଖଲ କରିବେ।

Comments are closed.