Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ

ନନ୍ଦପୁର: ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ, ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରହୁଥିବା ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତ୍ରିନାଥ ଖେମୁଣ୍ଡୁଙ୍କ ପୁତ୍ର ତପନ ଖେମୁଣ୍ଡୁ ଏବଂ ଥୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାତ୍ରପଣ୍ଡି ଗ୍ରାମର ରଞ୍ଜିତ ଦାସରି ଏକ ମଟର ସାଇକେଲ ଯୋଗେ ରାଇସିଂ ଗ୍ରାମ ଅଭିମୁଖେ ଯାଉଥିଲେ ।

ନେତାଜୀ ଉଚ୍ଚ ବିଦ୍ୟାଳୟ ଏବଂ ରାଇସିଂ ଗ୍ରାମ ମଧ୍ୟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ତପନ ଖେମୁଣ୍ଡୁ ମୃତ୍ୟୁବରଣ କରିଥିବା ବେଳେ ପଛରେ ବସିଥିବା ପାତ୍ରପଣ୍ଡି ଗ୍ରାମର ରଞ୍ଜିତ ଦାସରିଙ୍କୁ ଗୁରୁତର ଅବସ୍ଥାରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ନନ୍ଦପୁର ଥାନାର ଏ ଏସ ଆଇ ଦୀପକ କୁମାର ନାୟକ ଦୁର୍ଘଟଣାସ୍ଥଳରେ ପହଞ୍ଚି ତପନ ଖେମୁଣ୍ଡୁଙ୍କର ମୃତ ଦେହ ଏବଂ ମଟର ସାଇକେଲକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏ ଏସ ଆଇ ଦୀପକ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.