ନରକଙ୍କାଳ ମିଳିବା ଘଟଣା: ନିଲମ୍ବିତ ହେଲେ ଯାଁଳା ଫାଣ୍ଡି ଅଧିକାରୀ

ଭୁବନେଶ୍ବର: ଫାଣ୍ଡି ପରିସରରେ ଗାଡ଼ିରୁ ନରକଙ୍କାଳ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣିନପାରି କର୍ତ୍ତବ୍ୟରେ ଅବହେଳା କରିଛନ୍ତି।
ଏଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଗତ ୮ ତାରିଖ ଦିନ ଏହି ମୃତଦେହ ଗାଡ଼ି ପଛରୁ ମିଳିଥିଲା। ଦୀର୍ଘ ଦିନ ହେବ ଶବ ପଡ଼ି ରହିଥିବାରୁ ଶବଟି ପଚି ଯାଇଥିଲା। ଏମ୍ସରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କର ରୋଗରେ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି।
ତେବେ ମହିଳା ଜଣକ କିଏ? କିଭଳି ଭିତରକୁ ଗଲେ?। ଜବତ ଗାଡ଼ି କାହିଁକି ଖୋଲା ରହିଥିଲା? ରୋଗରେ ମୃତ୍ୟୁ ହୋଇଛି ନା ପଛରେ ଆଉ କିଛି ରହସ୍ୟ ରହିଛି? ଏ ସବୁ ପ୍ରଶ୍ନ ଏବେ ଫାଣ୍ଡି ଅଧିକାରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ତେବେ ମାମଲାର ତଦନ୍ତ କରାଯାଉଛି। ମହିଳାଙ୍କ ପରିଚୟ ସହ ମୃତ୍ୟୁ ପଛର କାରଣ ସମ୍ବନ୍ଧରେ ଖୁବ୍ଶୀଘ୍ର ଜଣାପଡ଼ିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।
ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ଗଞ୍ଜାମ ପୁଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥର ଯାଁଳା ଫାଣ୍ଡି ଅଞ୍ଚଳରେ ଏକ ଚାରିଚକିଆ ଯାନ(ଏକ୍ସୟୁଭି-୫୦୦) ଜବତ କରିଥିଲା।
ଜବତ ଗାଡ଼ିକୁ ଯାଁଳା ଫାଣ୍ଡି ପରିସରରେ ପୁଲିସ ହେପାଜତରେ ଛାଡ଼ି ଯାଇଥିଲା। ଦୀର୍ଘ ୨ ବର୍ଷ କାଳ ପଡ଼ିବା ପରେ ଭଡ଼ା ସୂତ୍ରରେ ଲାଗିଥିବା ସମ୍ପୃକ୍ତ ଗାଡ଼ିକୁ ମାଲିକ କୋର୍ଟରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ। ଗତ ୮ ତାରିଖ ଦିନ ଏହି ଗାଡ଼ି ନେବା ପାଇଁ କୋର୍ଟ ଆଦେଶ ଧରି ସେ ଫାଣ୍ଡିକୁ ଆସିଥିଲେ।
ଗାଡ଼ିଟି ଖୋଲା ରହିବା ସହ ପଛରେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ସେ ପୁଲିସକୁ ଖବର ଦେବା ପରେ ତନାଘନା ହୋଇଥିଲା। ଆଜି ସକାଳେ ଡିସିପି ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଥିଲେ।
Comments are closed.