Odisha Link
Bridging the Missing Links in Odisha

ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଡରାଇଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧିକୁ ନେଇ ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ସଚିବ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ପୁଣି ଥରେ ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ DG ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଦେଖି ଲକ୍‌ଡାଉନ୍‌ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ।

ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ବରରେ ଥିବା XIMB ଘରୋଇ ଶିକ୍ଷାନୁଷ୍ଠାନରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମସ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିଂର ସନ୍ଧାନ ଚାଲିଛି। ଅନ୍ୟପକ୍ଷରେ ଉକ୍ତ ଅନୁଷ୍ଠାନରେ ବହୁ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ କରାଯାଇଛି।

ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବାହାରକୁ ଆସିବାକୁ ବାରଣ କରାଯାଇଛି। ତେବେ ଭିତରେ ଥିବା ବ୍ୟକ୍ତି ତଥା ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ବିଏମସି ଯୋଗାଇବ। କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ମିଳିଛି। ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଓ ଶିକ୍ଷକଙ୍କ ଆଜି କୋଭିଡ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହେଷ୍ଟଲ ରୁମରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକାଯିବା ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଏସଆରସି ଉପସ୍ଥିତ ଥିଲେ। ତେବେ କରୋନା ସଂକ୍ରମଣକୁ ରୋକାଯିବା ନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

Comments are closed.