Odisha Link
Bridging the Missing Links in Odisha

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ବର: ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ପରିସ୍ଥିତି ଚିନ୍ତାଜନକ ହୋଇ ପଡିଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।

ନୂଆ ଗାଇଡଲାଇନରେ ବାହାଘର ଓ ବ୍ରତଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବାହାଘର ଓ ବ୍ରତଘରରେ ସର୍ବାଧିକ ସଂଖ୍ୟା ୫ଶହ ଥିବା ବେଳେ ଏବେ ୨ଶହକୁ ହ୍ରାସ କରାଯାଇଛି।

ସେହିପରି ଦଶାହ ଓ ଶୁଦ୍ଧିକ୍ରିୟାରେ ଆଦ କର୍ମରେ ମଧ୍ୟ ଲୋକସଂଖ୍ୟା କମାଇ ଦିଆଯାଇଛି। ପୂର୍ବରୁ ୫ଶହ ଲୋକଙ୍କୁ ଅନୁମତି ମଳିଥିବା ବେଳେ ଏବେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି।

ଅନ୍ୟପଟେ ଆଜି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନରେ କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ନିୟମ ପାଳନ ପାଇଁ ରାଜ୍ୟ ସରକାରମାନଙ୍କୁ କଡା ପଦକ୍ଷେପ ନେବାକୁ କୁହାଯାଇଛି।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିର ରଖି କେନ୍ଦ୍ର ସରକାର ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ଆରଟିପିସିଆର ଟେଷ୍ଟ ବେଶୀ ହେଉନି, ସେଠାରେ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ପଜିଟିଭ୍ କେସକୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ ପାଇଁ ନିଦ୍ଦେର୍ଶ ଦିଆଯାଇଛି। ଗାଇଡଲାଇନ୍ କଡାକଡି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଭିତରେ ଓ ବାହାର ରାଜ୍ୟକୁ ଯିବାଆସିବା ଉପରେ କୌଣସି କଟକଣା ନାହିଁ। ଏସଓପି ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ମଲ୍ ଚାଲିପାରିବ। ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମ ପାଳିବାକୁ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ସଠିକ୍ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.