Odisha Link
Bridging the Missing Links in Odisha

ଯୌତୁକ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର କରାଯାଇଛି ।

ମୃତକ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପତ୍ନୀ ଝିଲି। ଯୌତୁକ ପାଇଁ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ପ୍ରକାଶ ଯେ, ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗାଁର ସୁର୍ଦଶନ ଜେନାଙ୍କ ଝିଅ ଝିଲ୍ଲି ସହ ୨ ବର୍ଷ ତଳେ ନୂଆଗାଁର ଚୈତନ୍ୟ ରାଉତଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ବିବାହ ହୋଇଥିଲା।

ହେଲେ ବିବାହ ସମୟରେ ଦାବି ମୁତାବକ ଟଙ୍କା ଦେଇନଥିବାରୁ ଝିଅ ସହ ଶାଶୁଘର ଲୋକେ ଅତ୍ୟାଚାର କରିଆସୁଥିଲେ । ଏପରିକି ଗତ ୧ ମାସ ହେବ ଅତ୍ୟାଚାର ସହିନପାରି ଝିଅ ବାପଘରେ ରହିଥିଲା ।

୪ ଦିନ ତଳେ ବାପଘରେ ଲୋକେ ନୂଆଗାଁର କିଛି ଭଦ୍ରଲୋକଙ୍କ ମାଧ୍ୟମରେ ବୁଝାସୁଝା କରି ଝିଅକୁ ଶାଶୁଘରେ ଛାଡିଥିଲେ । ହେଲେ ସୋମବାର ରାତିରେ ବାଡିପଟ ଗଛରୁ ଝିଲ୍ଲିର ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ ଶାଶୁଘର ଲୋକଙ୍କ ଆତ୍ମହତ୍ୟା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପଘର ଲୋକେ ।

ବାକି ରହିଥିବା ୩୦ ହଜାର ଯୌତୁକ ଟଙ୍କା ପାଇଁ ଝିଲ୍ଲିକୁ ମାରି ଆତ୍ମହତ୍ୟା ରୂପ ଦିଆଯାଇଥିବା ବାପଘର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଫେରାର ହୋଇଥିବା ଘଟଣା ଆହୁରି ସନ୍ଦେହଘୋରକୁ ଟାଣୁଛି।

ଖବରପାଇ ରାମଚନ୍ଦ୍ରପୁର ପୁଲିସ ପହଁଞ୍ଚି ମୃତଦେହକୁ ଜବଦ କରିଛି । ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।

Comments are closed.