Odisha Link
Bridging the Missing Links in Odisha

 ବିଜୁଳି ଦର ବୃଦ୍ଧି କରିବା ଓଡ଼ିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ :ଗୋଲକ 

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ ଖରା ସମୟରେ ବିଜୁଳି ଦର ୩୦ ପଇସା ବୃଦ୍ଧି କରିବା ଅର୍ଥାତ୍ ୭ ମାସ ମଧ୍ୟରେ ବିଜୁଳି ଦର ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିବା ଓଡିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେବା ସଦୃଶ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ଏହା ସହିତ ଗୋଲକ ମହାପାତ୍ର କହିଛନ୍ତି ଯେ, ଲକ୍ ଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪ କୋଟି ଟଙ୍କାର ରିହାତି ଦଆଯାଇଥିଲା। ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି।

କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଥିଲା । ଏହା ସତ୍ୱେ ରାଜ୍ୟରେ ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଲାଗି ଓଇଆରସି ନିଷ୍ପତି ନେଇଥିଲେ। ପୁଣି ବର୍ତମାନ ଗ୍ରୀଷ୍ମ ଋତୁର ପ୍ରାରମ୍ଭରେ ଲୋକଙ୍କ ଦରକାର ସମୟରେ ବିଜୁଳି ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯିବା ଅର୍ଥାତ୍ ୭ ମାସ ମଧ୍ୟରେ ୫୦ ଦର ବିଜୁଳି ଦର ବୃଦ୍ଧି କରିବା କେତେଦୂର ଯୁକ୍ତସଙ୍ଗତ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଗ୍ରିଡକୋ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୯୬୩.୨୧ କୋଟି ଟଙ୍କା ବକେୟା ଅଛି। ସେଥିମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି। ବିଜୁଳି ଦର ୟୁନିଟ ପିଛା ୩୦ ପଇସା ବଢିବ ବୋଲି ସରକାର କହୁଛନ୍ତି କିନ୍ତୁ ଇଡକୋ ଠାରୁ ବିଦ୍ୟୁତ ବିତରଣ କମ୍ପାନୀ(ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୩୦ ପଇସା ଦେବେ।

ଓଡ଼ିଶାରେ କରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ୍ ବିତରଣ କମ୍ପାନିକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦି ସରକାର ନିରନ୍ତର ସହଯୋଗ ଦେଉଛନ୍ତି। ଅପରପକ୍ଷରେ କିନ୍ତୁ କୋଭିଡ଼୍ ସମୟରେ ରାଜ୍ୟବାସୀ ଜୀବନ ଜୀବିକାକୁ ନେଇ ଆତଙ୍କଜନକ ପରିସ୍ଥିତିରେ ଥିବା ବେଳେ ଓଇଆରସିର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।

ଏହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଉଛି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ। ଏପରି ନହେଲେ ବିଜେପି ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ। ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.