Odisha Link
Bridging the Missing Links in Odisha

ମାସ୍କ ନ ପିନ୍ଧିଲେ ଯିବେ ଜେଲ୍

ହାଇଦ୍ରାବାଦ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଦେଶରେ ୬୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁଡ଼ିକ ବିଭିନ୍ନ ପଦକ୍ଷେପ ଗହଣ କରିଥିବା ବେଳେ ତେଲେଙ୍ଗନା ସରକାର ଏନେଇ କଠୋର ନିଷ୍ପତ୍ତି ନେଇଛନ୍ତି।

ତେଲେଙ୍ଗାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ମାସ୍କ ପିନ୍ଧିବା କଡାକଡି କରାଯାଇଥିବା ବେଳେ ଯିଏ ଏହି ନିର୍ଦ୍ଦେଶ ନ ମାନିବ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଜେଲ୍‌ରେ ମଧ୍ୟ ପୂରାଇ ଦିଆଯିବ ବୋଲି ଶନିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଯେପରି ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବେ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ କମିଶନର ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର କହିଛନ୍ତି, କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ମାସ୍କ। ଏଣୁ ରାଜ୍ୟର ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଅଫିସ୍‌ରେ ବି ଲୋକେ ମାସ୍କ ପିନ୍ଧିବେ। ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯା’ଆସ କରୁଥିବା ଲୋକେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟମୂଳକ। ଯିଏ ଏହି ନିୟମ ଉଲ୍ଲଂଘନ କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 

Comments are closed.