Odisha Link
Bridging the Missing Links in Odisha

ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବସ ଚାଳାଚଳ ବନ୍ଦ କରିଛନ୍ତି। ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏନେଇ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଳକ ବ୍ରାହ୍ମଣପଡ଼ା ପରେ କୋମନା ବ୍ଳକ କୋନାବିରାରେ କରୋନା କାୟା ବିସ୍ତାର କରିବା ପରେ ଆଜି ପୁଣି ନୂଆପଡ଼ା ବ୍ଳକରେ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରେ ଧିରେ ଧିରେ ଗାଁକୁ ଗାଁ କରୋନା ବ୍ୟାପୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

ମଙ୍ଗଳବାର ଦିନ ଜିଲ୍ଲାରେ ମୋଟ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୯ ଜଣଙ୍କ ମଧ୍ୟରୁ ନୂଆପଡ଼ା ବ୍ଳକରେ ୧୨ ଜଣ, ଖରିଆର ରୋଡ଼ ୧୦ ଜଣ, ସିନାପାଳି ବ୍ଳକରେ ୪ ଜଣ, ଖଡ଼ିଆଳ ବ୍ଳକରେ ଜଣେ, ବୋଡ଼େନ ବ୍ଳକରେ ଜଣେ ଓ କୋମନା ବ୍ଳକରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନୂଆପଡ଼ା କୋଭିଡ୍ ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଏହି ୨୯ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୩ରେ ପହଞ୍ଚିଛି। ତେବେ ଜିଲ୍ଲାରେ ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏମାନଙ୍କୁ ଗୃହ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି।

 

Comments are closed.