Odisha Link
Bridging the Missing Links in Odisha

ବାହାର ରାଜ୍ୟରୁ ଆସିଲେ RTPCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ଓଡ଼ିଶାକୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହାର ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କଡ଼ାକଡ଼ି ଭାବେ କୋଭିଡ୍ ନିୟମ ଲାଗୁ କରାଯାଇଛି। ଏହାଛଡ଼ା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସବୁ ସ୍ଥାନରେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ,ସଂକ୍ରମଣ ବଢୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ ଟିକା ଦରକାର। ୧୦ ଦିନ ପାଇଁ ୨୫ ଲକ୍ଷ ଟିକା ଆବଶ୍ୟକ ଥିବାରୁ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଏହାବ୍ୟତୀତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ଥିବାରୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସେ କହିଛନ୍ତି।