Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର

ମୁମ୍ବାଇ: ପୁଣି ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି।

ଅବଶ୍ୟ ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନାହିଁ। ହେଲେ ଲକଡାଉନ ଠାରୁ ଆହୁରି କଡ଼ା କଟକଣା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କାଲି ରାତି ୮ଟାରୁ ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ। କାଲି ଠାରୁ ୧୫ ଦିନ ଯାଏ ଏହି ନିୟମ ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କାଲିଠାରୁ ସମଗ୍ର ମହାରାଷ୍ଟ୍ରରେ ‘ବ୍ରେକ୍‌ ଦି ଚେନ୍‌’ ଅଭିଯାନ ଆରମ୍ଭ ହେବ।

କାଲି ରାତି ୮ଟାରୁ ପୂରା ମହାରାଷ୍ଟ୍ରରେ ୧୪୪ ଧାରା ମଧ୍ୟ ଲାଗୁ କରାଯିବ। ବିନା କାରଣରେ କେହି ବି ରାସ୍ତାକୁ ବାହାରି ପାରିବେ ନାହିଁ। କର୍ଫ୍ୟୁ ବେଳେ ଇ-କର୍ମସ, ମେଡିକାଲ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ଲାଗୁ ହେବନାହିଁ।

Leave A Reply

Your email address will not be published.