Odisha Link
Bridging the Missing Links in Odisha

ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ମିଳିବ ଫାଶୀ

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ମିଳିବ ଫାଶୀ। କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖିବାକୁ ମିଳୁଛି। ଠିକ୍‌ ସମୟରେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଯାଉଥିବା ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯଦି କିଏ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରେ ସେଭଳି ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। ଶୁଣାଣି ବେଳେ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି, ଯଦି ଦିଲ୍ଲୀକୁ ୪୮୦ ମେଟ୍ରିକ ଟନ୍‌ର ଅକ୍ସିଜେନ ତୁରନ୍ତ ନ ମିଳିବ, ତା’ହେଲେ ପୂରା ବ୍ୟବସ୍ଥା ଭୁଶୁଡ଼ି ଯିବ। ପ୍ରତିଦିନ କରୋନା କେସ୍‌ ବଢ଼ୁଥିବାରୁ ଏକାଧିକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସାଂଘାତିକ ସ୍ଥିତି ଉପୁଜିଛି। ଏକାଧିକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେଣୁ ତୁରନ୍ତ ଅକ୍ସିଜେନ ଯୋଗାଣ ନ ହେଲେ, ଭୟଙ୍କର ସ୍ଥିତି ସୃଷ୍ଟି ହେବ।

କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣ ଖାଲି ଅକ୍ସିଜେନ ଯୋଗାଣରେ ବାଧା ଉପୁଜାଉଥିବା ବ୍ୟକ୍ତିଙ୍କ ନାଁ କୁହନ୍ତୁ। ଆମେ ସେଭଳି ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବୁ। ଆମେ ବିଭ୍ରାଟ ସୃଷ୍ଟି କରୁଥିବା ଲୋକଙ୍କୁ ଛାଡ଼ିବୁ ନାହିଁ। ଏଥିସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦିଲ୍ଲୀ ସରକାର ବିଭ୍ରାଟ ସୃଷ୍ଟି କରୁଥିବା ଅଧିକାରୀଙ୍କ ସମ୍ପର୍କରେ ଜଣାନ୍ତୁ। ଏପରି ହେଲେ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

କେନ୍ଦ୍ରକୁ ପ୍ରଶ୍ନ କରି କୋର୍ଟ କହିଛନ୍ତି, ଦିଲ୍ଲୀକୁ କେବେ ଆବଶ୍ୟକ ଅନୁଯାୟୀ ୪୮୦ ମେଟ୍ରିକ ଟନ୍‌ ଅକ୍ସିଜେନ ମିଳିବ? ଦୟା କରି ଆମକୁ ସେକଥା କୁହନ୍ତୁ। ଆମେ ସମସ୍ତେ କରୋନା ସଂକ୍ରମଣକୁ ୱେବ ବୋଲି କହୁଛେ। ହେଲେ ବାସ୍ତବରେ ଏହା ସୁନାମି। ଏହାକର ମୁକାବିଲା ପାଇଁ କେନ୍ଦ୍ର ସରକାର ହସ୍ପିଟାଲ ଭିତ୍ତିଭୂମି, ମେଡିକାଲ ଷ୍ଟାଫ, ମେଡିସିନ, ଟିକା ଓ ଅକ୍ସିଜେନ ଆଦି ବିଷୟ ଗୁଡ଼ିକ ଉପରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି?

 

Leave A Reply

Your email address will not be published.