Odisha Link
Bridging the Missing Links in Odisha

ଶ୍ମଶାନରେ ମିଳିଲାନି ସ୍ଥାନ, ସାଇକେଲରେ ପତ୍ନୀଙ୍କ ଶବ ବୋହିଲେ ବୃଦ୍ଧ

ଯଉଁପୁର: ସାରା ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ବ୍ୟାପକ ହେଉତିବା ବେଳେ ପୁଣି ଆସିଛି ଏକ ଛାତିଥରା ଦୃଶ୍ୟ। କୋଭିଡ୍‌ ସଂକ୍ରମଣ ଭୟରେ ଗ୍ରାମବାସୀ ଜଣେ ମହିଳାଙ୍କ ମୃତଦେହକୁ ଗାଁ ମଶାଣିରେ ଦାହ କରିବାକୁ ମନା କରିବାରୁ ବାଧ୍ୟହୋଇ ବୃଦ୍ଧ ସ୍ବାମୀ ଏକା ଏକା ଶବସତ୍କାର କରିଛନ୍ତି। ନିଜ ସାଇକେଲରେ ବସ୍ତା ଭଳି ପତ୍ନୀଙ୍କ ଶବକୁ ଥୋଇ ଘଣ୍ଟାଏ କାଳ ସ୍ଥାନ ଖୋଜିଛନ୍ତି ଅସହାୟ ବୃଦ୍ଧ।

ଘଟଣା ଘଟିଛି ଉତ୍ତରପ୍ରଦେଶ ଯଉଁପୁର ଜିଲ୍ଲା ଅମ୍ବରପୁର ଗାଁରେ। ଏହି ଗ୍ରାମର ୭୧ ବର୍ଷ ବୟସ୍କ ତିଳକଧାରୀଙ୍କ ପତ୍ନୀ କୋଭିଡ୍‌ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ହସ୍ପିଟାଲ କର୍ତୃପକ୍ଷ ଶବକୁ ଗାଁକୁ ପଠାଇ ଦେଇଥିଲେ।

ତେବେ କୋଭିଡ୍‌ ସଂକ୍ରମଣ ଭୟରେ କୌଣସି ବି ଗ୍ରାମବାସୀ ଶବ ଉଠାଇବାକୁ ଆସିନଥିଲେ। ଏପରିକି ବୃଦ୍ଧ ତିଳକଧାରୀ ନିଜ ପତ୍ନୀଙ୍କୁ ଗ୍ରାମ ଶ୍ମଶାନରେ ଦାହ କରିବାକୁ ଚାହିବାରୁ ଗ୍ରାମବାସୀ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପରି କଲେ ଗାଁରେ କରୋନା ବ୍ୟାପିବ ବୋଲି ଗ୍ରମାବାସୀ ବିଶ୍ବାସ କରୁଥିଲେ।

ଏଣୁ ବୃଦ୍ଧ ତିଳକଧାରୀ ପତ୍ନୀଙ୍କ ଶବକୁ ଅନ୍ୟତ୍ର ନେବାକୁ ଚାହିଁଥିଲେ ଓ ଏଥିପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଗ୍ରାମବାସୀମାନେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଛୁଇଁବାକୁ ମନା କରିଦେଇଥିଲେ। ବାଧ୍ୟହୋଇ ତିଳକଧାରୀ ନିଜ ସାଇକେଲରେ ବସ୍ତା ଭଳି ପତ୍ନୀଙ୍କ ଶବକୁ ଲଦି ଦାହ ନିମନ୍ତେ ସ୍ଥାନ ସନ୍ଧାନରେ ବାହାରି ଯାଇଥିଲେ।

ତେବେ ପ୍ରାୟ ଘଣ୍ଟାଏ କାଳ ସାଇକେଲ ଠେଲି ହାଲିଆ ହୋଇଯାଇଥିବା ବୃଦ୍ଧ ଅଧାବାଟରେ ଆଉ ଆଗକୁ ଯାଇନପାରି ସାଇକେଲ ରାସ୍ତାରେ ପକାଇ ଦେଇଥିଲେ। ତାଙ୍କର ଏ ବିକଳ ଅବସ୍ଥା ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ସ୍ଥାନୀୟ ପୁଲିସକୁ ଯୋଗାଯୋଗ କରିଥିଲେ। ପୁଲିସ ସହଯୋଗରେ ଗାଁ ଠାରୁ ଦୂର ଅନ୍ୟ ଏକ ସ୍ଥାନରେ ତିଳକଧାରୀ ନିଜ ପତ୍ନୀଙ୍କ ଶବଦାହ କରିଥିଲେ।

Leave A Reply

Your email address will not be published.