Odisha Link
Bridging the Missing Links in Odisha

ଆସିଲା ଗୁଗୁଲର ନୂଆ ‘ନ୍ୟୁଜ୍ ଶୋକେସ୍’ ପ୍ଲାଟଫର୍ମ

ନୂଆଦିଲ୍ଲୀ: ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଗୁଗୁଲ୍ ଏକ ପ୍ରମୁଖ ସର୍ଚ୍ଚ ଇଞ୍ଜିନ୍ ପାଲଟିଥିବା ବେଳେ ହାତ ପାଅନ୍ତାରେ ଆମେ ସବୁ ଖବର ଗୁଗୁଲ୍‌ ମାଧ୍ୟମରେ ପାଇପାରୁଛେ। ଦିନକୁ ଦିନ ଗୁଗୁଲ୍‌ ସମାଜ ଅଭିମୁଖୀ ଓ ଜନପ୍ରିୟ ହେବା ପାଇଁ ନିରନ୍ତର ସେବାରେ ନୂତନତ୍ୱ ଆଣୁଥିବା ବେଳେ ଖବର ଜଗତ ପାଇଁ ଆଉ ଏକ ‘ନ୍ୟୁଜ୍ ଶୋକେସ୍’ ଆଣିଛି ଗୁଗୁଲ୍।

ପୂର୍ବରୁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ରେ ନିଉଜ୍ ସେକ୍ସନ୍ ଥିଲେ ମଧ୍ୟ ଏକ ଖବର ସହ ସମ୍ପୃକ୍ତ ସବିଶେଷ ତଥ୍ୟ ଓ ଅଭିଜ୍ଞମାନଙ୍କ ପରାମର୍ଶ ପାଇବାକୁ ହେଲେ ଅନ୍ୟତ୍ର ଖୋଜିବାକୁ ପଡୁଥିଲା। ଯାହାକି ବର୍ତ୍ତମାନ ଆଉ ସେଭଳି ସମସ୍ୟା ରହିବ ନାହିଁ। ଜଣେ କୌଣସି ଖବରକୁ ଆସେସ୍ କରିବାବେଳେ ସେ ସମ୍ପର୍କିତ ଅନ୍ୟ ଖବରର ସୂତ୍ର, ଖବର ସମ୍ପର୍କିତ ଏକ୍ସପର୍ଟମାନଙ୍କ ମତ ଓ ଆଲୋଚନା ଆଦି ସବୁକିଛି ଗୋଟିଏ ପେଜରେ ପାଇପାରିବ। ଏଥିପାଇଁ ଭାରତର ପ୍ରମୁଖ ୩୦ ଖବର ପ୍ରକାଶନ ସହ ହାତ ମିଳାଇଥିବାବେଳେ ୫୦ ହଜାର ସାମ୍ବାଦିକଙ୍କୁ ନୂଆ ବୈଷୟିକ ସୂତ୍ର ପାଇଁ ତାଲିମ୍ ଦେବାକୁ ଯୋଜନା ଚଳାଇଛି।

ସୂଚନା ମୁତାବକ ଗୁଗୁଲ୍ ମଙ୍ଗଳବାର ଭାରତରେ ନ୍ୟୁଜ୍ ପାଇଁ ନୂଆ ପ୍ଲାଟଫର୍ମ ଉନ୍ମୋଚନ କରିଛି। କରୋନା ମହାମାରୀର ବେଳେ ଦେଶବାସୀ ଭୁଲ୍ ସୂଚନା ପାଇବାରୁ ସମସ୍ୟା ଆହୁରି ବଢ଼ି ଯାଉଛି। ଗୁଜବ ବା ମିଥ୍ୟା ଖବର ଲୋକଙ୍କ ମନରେ ଅଯଥା ଭୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ମହାମାରୀର ଘଡ଼ିସନ୍ଧି ମୁହୂର୍ତ୍ତରେ ଗୁଗୁଲ୍ ଆରମ୍ଭ କରିଥିବା ନୂଆ ପ୍ଲାଟଫର୍ମ ଖୁବ୍ ସହାୟକ ହେବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।

କୋଭିଡ୍ ମହାମାରୀ ଓ ଏହାକୁ ନେଇ ଆବଶ୍ୟକ ବେଡ୍, ଅକ୍ସିଜେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପର୍କରେ ସୋସିଆଲ୍ ମିଡିଆରେ ଅନେକ ମିଥ୍ୟା ପ୍ରଚାର ହେଉଛି। ଏହାକୁ ନେଇ ଅନେକ ସମୟରେ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଉଛନ୍ତି। ତେବେ ଗୁଗୁଲ୍ ପ୍ଲାଟଫର୍ମ ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ ପାଇଁ ବଦ୍ଧପରିକର ଏବଂ ଏହି ନୂଆ ପ୍ଲାଟଫର୍ମ ଦେଶବାସୀଙ୍କୁ ଖୁବ୍ ସହାୟ ହୋଇପାରିବ ବୋଲି ଗୁଗୁଲ୍ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

Leave A Reply

Your email address will not be published.